ଏମିତି ବି ଆସେ ମୃତ୍ୟୁ: ବରଯାତ୍ରୀଙ୍କ ସହ ନାଚିବା ବେଳେ ଟଳି ପଡିଲା ବର

ବରୋଦା: ଆଉ କିଛି ସମୟ ପରେ ପଡିଥାନ୍ତା ହାତରେ ହାତ ଗଣ୍ଠି। ହେଲେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ଲିଭି ଯାଇଥିଲା ଜୀବନ ଦୀପ। କନିଆ ଘରେ ସବାରୀ ପହଞ୍ଚିବା ଆଗରୁ ମଶାଣି ଡାକିନେଲା ବାଡୁଅ ପୁଅକୁ। ୨୫ ବର୍ଷିୟ ସାଗର ସୋଲାଙ୍କି କନିଆ ଆଖିରେ ଆଖି ମିଳାଇବା ପୂର୍ବରୁ ଶୋଇ ପଡିଥିଲେ ସବୁଦିନ ପାଇଁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗୁଜୁରାଟରେ।

ବର ଶୋଭାଯାତ୍ରାରେ ଫାଟି ପଡୁଥିଲା ପୂରା ଗାଁ ଦାଣ୍ଡ। ନାଚ, ଗୀତରେ ମସଗୁଲ ସମସ୍ତ ବନ୍ଧୁ ପରିଜନ। ଏପରିକି ସାଗର ନିଜେ ମଧ୍ୟ ସାଙ୍ଗଙ୍କ କାନ୍ଧରେ ବସି ନାଚରେ ବିଭୋର ଥିଲେ। ହେଲେ ମୁହୂର୍ତ୍ତକ ମଧ୍ୟରେ ବଦଳିଗଲା ସବୁକିଛି। ସାଗରଙ୍କ ଖୁସି ଜୀବନରେ ଘୋଟିଗଲା କଳା ବାଦଲ। ସାଙ୍ଗଙ୍କ କାନ୍ଧରେ ବସି ନାଚୁଥି‍ବା ବେଳେ ହଠାତ୍‌ ଟଳି ପଡିଲେ ସାଗର। କେହି କିଛି ବୁଝିବା ଆଗରୁ ଦୁନିଆ ଛାଡ଼ି ସାରିଥିଲେ ସାଗର। ଯାହାଙ୍କ ବାହାଘର ପାଇଁ ଏତେ ଖୁସି, ତାଙ୍କର ମୃତ୍ୟୁ ଯେ ଏମିତି ଆସିବ, ତାହା ଥିଲା ସମସ୍ତଙ୍କ କଳ୍ପନା ବାହାରେ। ତୁରନ୍ତ ସାଗରଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

courtesy-ABP News