ଘୋଡା ଚଢି ନିମନ୍ତ୍ରଣପତ୍ର ବାଣ୍ଟିଲେ କନ୍ୟା

ଜୟପୁର(ଓଡିଶା ରିପୋର୍ଟର): ଭାରତରେ ବାହାଘର ପରମ୍ପରା ଏକ ଛୋଟିଆ କଥା ନୁହେଁ। କେବଳ ଦୁଇ ହୃଦୟ ମିଳନ ପାଇଁ ଏଠି ବିବାହ ହୋଇ ନ ଥାଏ ବରଂ ୨ଟି ପରିବାରର ମହାମିଳନ ହୋଇଥାଏ ଏହି ଉତ୍ସବ। ଯେଉଁଥିପାଇଁ ଝିଅ ଜନ୍ମଠାରୁ ଗୋଟିଗୋଟିକରି ଟଙ୍କା ସଞ୍ଚୁଥାଏ ବାପ। ପୁଅଘର ବି କମ୍‌ କସରତ୍‌ କରନ୍ତିନି। ହେଲେ ଆମ ଦେଶରେ ଗୋଟିଏ କଥା ଦେଖିବାକୁ ମିଳେ ଯେ, ପୁଅଟିଏ ବାହାଘରର ସବୁ କାମ ନିଜେ ବୁଝାସୁଝା କରୁଥିବା ବେଳେ ଝିଅଟିକୁ ସେ ସବୁର ଅନୁମତି ନ ଥାଏ । ଏମିତିକି ଝିଅଟିଏ ତା ବାହାଘରକୁ କାହାକୁ ଡାକିବ ସେ ନେଇ ମଧ୍ୟ ନିଷ୍ପତ୍ତି ନେଇପାରେନି।

ହେଲେ ଗାର୍ଗିଙ୍କ ପାଇଁ ସବୁ ବନ୍ଧ ବାଡ ଭାଙ୍ଗିଲା। ନିଜ ବାହାଘରର ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ସେ ଘୋଡା ଚଢି ବୁଲିଲେ ବନ୍ଧୁବାନ୍ଧବ ଘର। ସମାଜର ନିୟମକୁ ଫୁ କରି ସୃଷ୍ଟି କଲେ ନୂଆ ଉଦାହରଣ। ଘୋଡାରେ ଚଡି ଧଳା ପଗଡି ପିନ୍ଧି ଗାର୍ଗିଙ୍କ ନିମନ୍ତ୍ରଣ ବାଣ୍ଟିବା ଦୃଶ୍ୟ ଥିଲା ନିଆରା। ଏ କଥା ପଢି ଆପଣ ଗାର୍ଗିଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ହୋଇପଡିବେଣି। ତା ହେଲେ ଆସନ୍ତୁ ଜାଣିବା କିଏ ଏ କନ୍ୟାପାତ୍ରୀ।

ନିକଟରେ ରାଜସ୍ଥାନର ଗାର୍ଗି ବିଦେଶରେ ଏମ୍‌ବିଏ ସାରି ଘରକୁ ଫେରିଥିଲେ। ଏତିକି ବେଳେ ତାଙ୍କ ବାହାଘର ମଧ୍ୟ ଠିକ୍‌ ହୋଇଯାଇଥିଲା। ହେଲେ ଆମ ସମାଜରେ ଆଜି ବି ଝିଅମାନଙ୍କୁ ପୁଅଙ୍କ ସମକକ୍ଷ ନଜରରେ ଦେଖାଯାଉ ନଥିବା ତାଙ୍କୁ ଟିକେ ଖଟ୍‌କା ଲାଗିଲା। ରାଜସ୍ଥାନରେ ପାରମ୍ପରିକ ବିନ୍ଧୌରୀ ପ୍ରଥାଟି ପାଇଁ ଗାର୍ଗିଙ୍କ ମୁଣ୍ଡ ବିଗିଡିଲା। ତାଙ୍କ ବାହାଘରରେ ଏ ପ୍ରଥାଟି କିଏ ତୁଲାଇବ ତାହାକୁ ନେଇ ଘରେ ଆରମ୍ଭ ହେଲା ବଚସା। ଏହି ପରମ୍ପରାରେ ବାହାଘର ଆଗରୁ ବରପାତ୍ର ଘୋଡା ଚଢି ନିଜ ଭାବି ପତ୍ନୀଙ୍କ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାଏ। ହେଲେ ଗାର୍ଗି ନିଜେ ଏହି ପ୍ରଥାଟି ଅନୁସରଣ କରିବେ ବୋଲି ଜିଦ୍‌ ଧରିଥିଲେ। ପୁଅ ଝିଅ ସମସ୍ତେ ସମାନ। ଏ କଥା ପ୍ରମାଣିତ କରିବାକୁ ଯାଇ ଆରମ୍ଭ ହୋଇଥିଲା ତାଙ୍କର ଏ ଅଭିଯାନ। ଯାହାକୁ ଦେଖି ତାଙ୍କ ଶାଶୁଘର ଲୋକ ବୋହୂର ଏ କାର୍ଯ୍ୟକୁ ସମର୍ଥନ କରିଥିଲେ। ଆଉ ସବାସି ଦେଇ କହିଥିଲେ, ଯେତେହେଲେ ପାଠୁଆ ବୋହୁଟି!