ଆଜି ମହାକାଶକୁ ଯିବ ଦେଶର ସବୁଠୁ ଓଜନିଆ ରକେଟ୍, ପଢନ୍ତୂ ପୂରା ରିପୋର୍ଟ

ଶ୍ରୀହରିକୋଟ୍ଟା: ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ବୃହତ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାରୁ ମହାକାଶକୁ ପ୍ରେରଣ କରାଯିବ ଦେଶର ସବୁଠୁ ଓଜନିଆ ଜିଏସଏଲଭି ଏମକେ-ଥ୍ରୀ। ଏହାର ଓଜନ ପ୍ରାୟ ୨୦୦ ହାତୀଙ୍କ ଓଜନ ସହ ସମାନ। ଏହି ରକେଟ୍ ଜି-ସ୍ୟାଟ୍-୧୯କୁ କକ୍ଷରେ ଅବସ୍ଥାପିତ କରିବ।  ଆଜି ଅପରାହ୍ନ ୫ଟା ୨୮ ମିନିଟରେ ଏହି ଉତକ୍ଷେପଣ କରାଯିବ। ଜି-ସ୍ୟାଟ୍-୧୯ର ଓଜନ ୩, ୧୩୬ କିଲୋଗ୍ରାମ। ଦେଶର ଟେଲି ଯୋଗାଯୋଗ କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିବ। ଅନ୍ୟ ସାଟେଲାଇଟ୍ ଭଳି ଏଥିରେ ଟ୍ରାନ୍ସପୋଣ୍ଡର ରହିବ ନାହିଁ। ଏଥିରେ ଡାଟା ବିମ୍ ବ୍ୟବସ୍ଥା ରହିବ। ଏହା ଅପେକ୍ଷାକୃତ ଅଧିକ ଡାଟା ପ୍ରଦାନ କରିବ। ଫଳରେ ଇଣ୍ଟରନେଟ୍ ସେବାରେ ବ୍ୟାପକ ଉନ୍ନତି ଅଣାଯାଇପାରିବ। ମହାକାଶରେ ଇଲେକଟ୍ରୋନିକ୍ ଯନ୍ତ୍ରାଂଶ ଉପରେ ରେଡିଏସନର ପ୍ରଭାବ ଏବଂ ମହାକାଶଯାନ ଜ୍ଞାନ କୌଶଳର ଅନେକ ପରୀକ୍ଷଣ ଏହା ସାହାଯ୍ୟରେ କରାଯିବ। ଏହି ରକେଟକୁ ଭବିଷ୍ୟତରେ ମହାକାଶକୁ ମଣିଷ ପ୍ରେରଣ ପାଇଁ ବ୍ୟବହାର କରିବା ଲାଗି ଇସ୍ରୋ ଆଶା ରଖିଛି।