ଜିଏସ୍‌ଟିରୁ ବାଦ୍‌ ପଡ଼ିଲା ୨୯ ସାମଗ୍ରୀ

ନୂଆଦିଲ୍ଲୀ: ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଜିଏସ୍‌ଟି ଆଶ୍ୱସ୍ତି ମିଳିଛି। ୨୯ଟି ସାମଗ୍ରୀକୁ ଜିଏସ୍‌ଟିରୁ ବାଦ୍ ଦିଆଯାଇଛି। ଏଥିରେ ମୁଖ୍ୟତଃ ହସ୍ତଶିଳ୍ପ ସାମଗ୍ରୀ ରହିଛି। ଆଜି ଜିଏସ୍‌ଟିର ୨୫ ତମ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏନେଇ ସୂଚନା ଦେଇଛନ୍ତି। ଜିଏସ୍‌ଟିର ନୂଆ ଦର ଆସନ୍ତା ୨୫ ତାରିଖରେ ଲାଗୁ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଜେଟଲୀ ଆହୁରି କହିଛନ୍ତି, “ବୈଠକରେ ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସ୍‌ଟି ପରିସରକୁ ଆଣିବା ନେଇ କୌଣସି ଆଲୋଚନା ହୋଇନାହିଁ। ବୈଠକରେ ରିଟର୍ଣ୍ଣ ଫାଇଲ ପ୍ରକ୍ରିୟାକୁ ସହଜ କରିବା ନେଇ ଆଲୋଚନା କରାଯାଇଛି।”

ସେହିପରି ୫୩ଟି ଶ୍ରେଣୀରେ ଆସୁଥିବା ସେବାରୁ ଜିଏସ୍‌ଟି କମାଇ ଦିଆଯାଇଛି। ଆସନ୍ତା ଫେବୃଆରୀ ୧ ତାରିଖରେ ଇଣ୍ଟର ଷ୍ଟେଟ୍‌ ଇ-ୱେ ବିଲ୍‌ର ବ୍ୟବସ୍ଥା ଆରମ୍ଭ ହେବ। ୧୫ଟି ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା ଜେଟଲୀ କହିଛନ୍ତି।

୨୬ତମ ଜିଏସ୍‌ଟି ବୈଠକ ୧୦ଦିନ ପରେ ବସିବ। ଭିଡିଓ କନଫରେନ୍ସ ମାଧ୍ୟମରେ ଏହା କରାଯିବ। ଏହାପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ଜେଟଲୀ କହିଛନ୍ତି।