ବିଜେପି ଛୁଆଁରେ ମାରା ହୋଇଗଲେ ଆମ୍ବେଦକର

ବଡୋଦ୍ରା: ଭାରତରେ ଛୁଆଁ ଅଛୁଆଁ ଭେଦଭାବ ବହୁ ପୁରୁଣା। ଏହି କୁତ୍ସିତ ପରମ୍ପରା ଲାଗି ଆମ ଦେଶ ଅନେକ ସମୟରେ ନିନ୍ଦିତ ମଧ୍ୟ ହୋଇଛି। ସମ୍ପ୍ରତି ସମାଜ ବଦଳିବା ସହ ଆମ ମାନସିକତାରେ ବି ପରିବର୍ତ୍ତନ ଆସିଛି। ଏଣୁ ଏହି ପ୍ରଥାଟି ନିର୍ମୂଳ ହେବାକୁ ବସିଥିବା ବେଳେ ରାଜନୀତିରେ ଏହି କଥାକୁ ନେଇ ଉଠୁଛି ପଡୁଛି ଦେଶ। ଜାଣିଛନ୍ତି, ଆମେ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କ ମୂର୍ତ୍ତି ମାରା ହୋଇଯାଇଛି। ବିଜେପି ଛୁଇଁଦେଲା ବୋଲି ମାରା ହୋଇଗଲା ବାବା ସାହେବ । ଏଥିପାଇଁ ଦଳିତ ସମାଜର ଲୋକେ ପ୍ରତିମୂର୍ତ୍ତିକୁ କ୍ଷୀର ଓ ପାଣିରେ ଗାଧୋଇ ଦେଇଛନ୍ତି। ଘଟଣାଟି ଘଟିଛି ପ୍ରଧାମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜରାଟର ବଡୋଦ୍ରାରେ।

ଆଜି ଆମ୍ବେଦକରଙ୍କ ୧୨୭ ତମ ଜନ୍ମ ଦିବସ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଓ ଅନ୍ୟ ବିଜେପି ନେତାମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳା ଚଢ଼ାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସେମାନେ ସେଠାରୁ ଚାଲିଯାଇଥିଲେ। ବିଜେପି ନେତାମାନେ ଚାଲିଯିବା ପରେ ଦଳିତ ସମାଜର ନେତାମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ କ୍ଷୀର ଓ ପାଣିରେ ଗାଧୋଇ ଦେଇଥିଲେ। ଜଣେ ଦଳିତ ନେତାଙ୍କ କହିବା ଅନୁସାରେ ବିଜେପି ନେତାମାନଙ୍କ ଉପସ୍ଥିତି ପୂରା ବାତାବରଣକୁ ନଷ୍ଟ କରିବା ସହିତ ପ୍ରତିମୂର୍ତ୍ତିକୁ ମାରା କରି ଦେଇଥିଲା। ଏଥିପାଇଁ ଜଳାଭିଶେକ ଓ କ୍ଷୀର ଢାଳି ପ୍ରତିମୂର୍ତ୍ତିକୁ ପବିତ୍ର କରାଗଲା।

ସେମାନଙ୍କର କହିବା କଥା ହେଲା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ଦଳିତ ସମାଜ ନେତାମାନେ ସେଠାରେ ପ୍ରଥମେ ପହଞ୍ଚିଥିଲେ। କିନ୍ତୁ ପୋଲିସ୍ ସେମାନଙ୍କୁ ପ୍ରତିମୂର୍ତ୍ତିରେ ଫୁଲମାଳା ଚଢ଼ାଇବାକୁ ଦେଇ ନ ଥିଲା। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ  ଦେଖା ଦେଇଥିଲା।