ଦିଲ୍ଲୀରେ ଗୁଜରାଟ ଡ୍ରାମା: ଭୋଟ୍‌ ଦେଇ ଦେଖାଇ ଦେଲି….

ନୂଆଦିଲ୍ଲୀ: ଗୁଜରାଟ ରାଜ୍ୟସଭା ନିର୍ବାଚନକୁ ନେଇ ସାରା ଦେଶରେ ଏବେ ରାଜନୈତିକ ଝଡ଼। ମୁହାଁ ମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ରାଜ୍ୟର ତିନି ଟି ସିଟ୍ ମଧ୍ୟରୁ ଦୁଇଟିରେ ବିଜେପି ସଭାପତି ଅମିତ୍ ଶାହ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚିତ ହେବା ନିଶ୍ଚିତ ଥିବାବେଳେ ତୃତୀୟ ଆସନ ପାଇଁ ପ୍ରତିଦ୍ୱଦ୍ୱିତା କରୁଥିବା ସୋନିଆଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲଙ୍କୁ ନେଇ ଚାଲିଛି ଟଣାଓଟରା। ତାଙ୍କୁ କୌଣସି ମତେ ରାଜ୍ୟସଭାକୁ ନିର୍ବାଚିତ ହେବାରୁ ରୋକିବା ଲାଗି ଅମିତ୍ ଶାହ ଓ ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଶଙ୍କରସିଂହ ଓ୍ୱାଘେଲା ପୁରା ବନ୍ଦୋବସ୍ତ କରିଛନ୍ତି। ୪୫ ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ପାଇଲେ ପଟେଲ ବିଜୟୀ ହେବେ ତେବେ କଂଗ୍ରେସର ଦୁଇ ଜଣ ବିଧାୟକ ପଟେଲଙ୍କ ବିପକ୍ଷରେ ଭୋଟ ଦେଇଥିବା ଜଣାପଡିଛି ତେବେ। ଏମାନେ ବାଲଟ୍ ପେପର ବିଜେପି ଏଜେଣ୍ଟଙ୍କୁ ଦେଖାଇ ଥିବା ଅଭିଯୋଗ କରିଛି କଂଗ୍ରେସ। ଏହି ଦୁଇଟି ଭୋଟ୍ ରଦ୍ଦ ପାଇଁ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟପକ୍ଷରେ ବିଜେପି ନେତା ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ପକ୍ଷ ରଖିଛନ୍ତି। ଟଣା ଓଟରା ଭିତରେ ଭୋଟ ଗଣତି ବିଳମ୍ବ ହୋଇଛି।