ଖୋଲୁଛି ରାମରହିମଙ୍କ ଗୁମ୍ଫା ଗୁମର: ମିଳିଲା ପ୍ଲାଷ୍ଟିକ ମୁଦ୍ରା

ଚଣ୍ଡିଗଡ଼ (ଓଡ଼ିଶା ରିପୋର୍ଟର): ଖୋଲୁଛି ଡେରା ମୁଖ୍ୟ ଗୁରମିତ୍ ରାମରହିମ ସିଂଙ୍କ ଗୁମ୍ଫା ଗୁମର। ସିର୍ସାରେ ଥିବା ଡେରା ମୁଖ୍ୟାଳୟରେ ତଲାସୀ କରୁଛନ୍ତି ସୁରକ୍ଷା କର୍ମୀ। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ଲାଗି ଡେରା ମୁଖ୍ୟାଳୟକୁ ଲାଗି ରହିଥିବା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଡେରା ଆଶ୍ରମରରେ ଥିବା କମ୍ପ୍ୟୁଟର ହାର୍ଡଡିସ୍କକୁ ଜବତ କରାଯିବା ସହ ୨ଟି ରୁମକୁ ସୁରକ୍ଷାକର୍ମୀ ସିଲ୍‌ କରିଛନ୍ତି। ତଲାସୀ ଅଭିଯାନ ଶେଷ ହେବା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ତଲାସୀ ପାଇଁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ରାମରହିମ ସିଂଙ୍କ ଗୁମ୍ଫାରୁ ପ୍ଲାଷ୍ଟିକ ମୁଦ୍ରା ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏସବୁ ଅନ୍ୟ କେଉଁ ଦେଶର ମୁଦ୍ରା ନୁହେଁ, ଡେରା ସଚ୍ଚା ସୌଦା ଆଶ୍ରମ ଭିତରେ ପ୍ରଚଳନ ହେଉଥିଲା ଏହି ପ୍ଲାଷ୍ଟିକ୍ ମୁଦ୍ରା। ଏହାକୁ ପ୍ରଣୟନ କରିଥିଲେ ଡେରା ମୁଖ୍ୟ ରାମ୍ ରହିମ୍। ଏଥିସହ ବହୁମାତ୍ରାରେ ନଗଦ ଟଙ୍କା, ଅଚଳ ୫୦୦ ଓ ହଜାରେ ଟଙ୍କିଆ ନୋଟ, କମ୍ପ୍ୟୁଟର୍ ହାର୍ଡଡିସ୍କ ଆଦି ଜବତ କରାଯାଇଛି। ୮୦୦ ଏକର ଜାଗାରେ ଥିବା ଏହି ଆଶ୍ରମରେ ସର୍ଚ୍ଚ ଅପରେସନ୍ ପାଇଁ ୪୧ କମ୍ପାନୀ ପାରାମିଲିଟାରୀ ଫୋର୍ସ, ୪ କଲମ ଆର୍ମି ଓ ୪ଟି ଜିଲ୍ଲାର ପୋଲିସ ନିୟୋଜିତ ହୋଉଛନ୍ତି। ବୋମା ନିଷ୍କ୍ରିୟ କାରୀ ସ୍ୱାର୍ଡ ସହ ଡଗ ସ୍ୱାର୍ଡ ମଧ୍ୟ ପୁରା ଆଶ୍ରମକୁ ତନ୍ନ ତନ୍ନ ଯାଞ୍ଚ କରିଛନ୍ତି। ଏହାର ନେତୃତ୍ୱ ନେଉଛନ୍ତି କୋର୍ଟ କମିଶନର ଏକେଏସ୍ ପନଓ୍ୱାର୍।

କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ଲାଗି ଡେରା ମୁଖ୍ୟାଳୟକୁ ଲାଗି ରହିଥିବା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ତଲାସୀ ଅଭିଯାନ ଶେଷ ହେବା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏଥିସହ ବମ୍ ସ୍ୱାଡ୍, ୪୦ ସ୍ୱାଟ୍ କମାଣ୍ଡୋ, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଆଲର୍ଟରେ ରଖାଯାଇଛି। ସର୍ଚ୍ଚ ଅପରେସନ୍ ପାଇଁ ଆଶ୍ରମ ଭିତରକୁ ୫୦ ଜଣ ଭିଡିଓଗ୍ରାଫର, ଦଶରୁ ଅଧିକ ତାଲା ଭଙ୍ଗାଳି, ଟନେଲ୍ ଖୋଳିବା ପାଇଁ ମେସିନ୍ ଆଦି ମଧ୍ୟ ନିଆଯାଇଛି।

କିଛିଦିନ ହେଲା ରାମ ରହିମଙ୍କ ଆଶ୍ରମ ଭିତରେ ରହିଥିବା ବିଳାସପୂର୍ଣ୍ଣ ଗୁମ୍ଫା ସମ୍ପର୍କରେ ନାନା ତଥ୍ୟ ଶୁଣିବାକୁ ମିଳୁଛି। ଏହି ଗୁମ୍ଫାରେ ଅନେକ ସମର୍ଥକଙ୍କୁ ହତ୍ୟା କରାଯିବା ସହ ବାବା ବହୁ ଆପତ୍ତିଜନକ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ରହିଛି।