ବାବା ରାମ ରହିମ ସମର୍ଥକଙ୍କ ହଙ୍ଗାମା: ୩୦ ମୃତ, ଗାଡ଼ି ପୋଡିଲେ, ପୋଲିସ୍‌କୁ ଗୋଡ଼ାଇଲେ

ନୂଆଦିଲ୍ଲୀ/ଚଣ୍ଡିଗଡ଼(ଓଡ଼ିଶା ରିପୋର୍ଟର): ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୨୮ ତାରିଖରେ ବାବାଙ୍କ ବିରୋଧରେ କୋର୍ଟ ତାଙ୍କ ରାୟ ଶୁଣାଇବେ। ଅନ୍ୟପକ୍ଷରେ ବାବା ଦୋଷୀ ସାବ୍ୟସ୍ତ ହେବା ପରେ ବିଭିନ୍ନ ସହରରେ ହିଂସା ଆରମ୍ଭ ହୋଇଯାଇଛି। ବାବାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସିବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି। ହିଂସାକାଣ୍ଡ ଯୋଗୁଁ ୩୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାସହ ୨୫୦ ଜଣ ଆହତ ହୋଇଛନ୍ତି।

ପଞ୍ଚକୁଲା ରାଜରାସ୍ତା ଉତ୍ତ୍ୟକ୍ତ ଲୋକ ବହୁ ଗାଡି ଭଙ୍ଗାରୁଜା କରିବା ସହ ଏଥିରେ ନିଆଁ ଲଗାଇ ଦେଇଥିଲେ। ଗଣ୍ଡଗୋଳକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଲାଠି ଓ ଲୁହାବୁହା ଗ୍ୟାସ୍ ଓ ପାଣିମାଡ଼ କରିଥିଲେ ବି ଅନୁଗାମୀ ଏହାକୁ ଭୃକ୍ଷେପ ନକରି ସେମାନେ ସୁଅ ଭଳି ମାଡ଼ି ଆସି ଆକ୍ରମଣ କରିଥିଲେ।

ପଞ୍ଚକୁଲାର ହିଂସା ସମଗ୍ର ହରିୟାଣା ଓ ପଞ୍ଜାବକୁ ମଧ୍ୟ ବ୍ୟାପିଛି। ଏ ଦୁଇ ରାଜ୍ୟ ଏବେ ଅଶାନ୍ତ ହୋଇପଡ଼ିଛି। ଅନୁଗାମୀମାନେ ପଞ୍ଜାବରେ ଦୁଇଟି ଷ୍ଟେସନରେ ପୋଡ଼ାଜଳା କରିବା ସହ ଏକ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକେ ବହୁ ବସ୍, କାର, ବାଇକ୍ ଏବଂ ସରକାରୀ ଅଫିସକୁ ଜାଳି ଦେଇଥିବା ଖବର ମିଳିଛି। ପଞ୍ଚାବର ବର୍ଣ୍ଣାଲାରେ ଏକ ଟେଲିଫୋନ୍ ଏକଚେଞ୍ଜକୁ ହିଂସାକାରୀ ଜାଳି ଦେଇଛନ୍ତି।

ହିଂସା ପଞ୍ଜାବ ଓ ହରିୟାଣାରୁ ଦେଶର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମଧ୍ୟ ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ଅନୁଗାମୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଦିଲ୍ଲୀର ଆନନ୍ଦ ବିହାର ଓ ରେଓ୍ୱା ଷ୍ଟେସନରେ ପୋଡ଼ାଜଳା ସହ କିଛି ବସ୍ ଓ କାରରେ ନିଆଁ ମଧ୍ୟ ଲାଗାଇ ଦେଇଛନ୍ତି। ପଞ୍ଚାବ ଓ ହରିୟାଣାକୁ ଚଳାଚଳ କରିବାକୁ ଥିବା ୨୦୦ ଟ୍ରେନକୁ ବାତିଲ କରାଯାଇଛି। ସେପଟେ ଗିରଫ ପରେ ବାବା ରାମ୍ ରହିମଙ୍କୁ ହେଲିକପ୍ଟରରେ ନିଆଁ ଯାଇ ରୋହତକରେ ରଖାଯାଇଛି।

ଏହାସହ ଆଜତକ୍‌ର ଏକ ଓବି ଭ୍ୟାନକୁ ବାବାଙ୍କ ସମର୍ଥକମାନେ ନିଆଁ ଲଗାଇ ଦେଇଛନ୍ତି। ଏନ୍‌ଡିଟିଭିର ମଧ୍ୟ ଏକ ଓବି ଭ୍ୟାନ୍‌କୁ ଭଙ୍ଗାରୁଜା କରିଛନ୍ତି। ପଞ୍ଜାବର ଦୁଇଟି ରେଳ ଷ୍ଟେସନରେ ବାବାଙ୍କ ସମର୍ଥକ ଜଳାପୋଡ଼ା କରିଥିବା ସୂଚନା ମିଳିଛି। ବାବାଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଗାଡିରେ ନିଆ ଲଗାଇ ଦେଇଛନ୍ତି। କିଛି ସ୍ଥାନରେ ଉତ୍ତ୍ୟକ୍ତ ସମର୍ଥକମାନେ ପୋଲିସ୍‌କୁ ମଧ୍ୟ ଆକ୍ରମଣ କରିଛନ୍ତି।

ହରିୟାଣାର ପଞ୍ଚକୁଳା, ମୁକ୍ତସାର, ଭଟିଣ୍ଡା ଓ ମନସାରେ କର୍ଫ୍ୟୁ ଜାରି କରାଯାଇଛି। ପଞ୍ଚକୁଳାରେ ସେନାର ଅତିରିକ୍ତ ୬ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆନ୍ଦଳନକାରୀଙ୍କୁ ମୁକାବିଲା କରିବାକୁ ଯଥାସାଧ୍ୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର।

ଏଣେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା କରିଛନ୍ତି। ଡେରା ସଚ୍ଚା ସୌଦାର ହଜାରେରୁ ଅଧିକ ସମର୍ଥକଙ୍କୁ ଅଟକ ରଖାଯାଇଥିବା ହରିୟାଣା ପୋଲିସ ଆଡିସିନାଲ ପୋଲିସ ଡିଜି ସୂଚନା ନେଇଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More