ତଥାପି ଯାଇନି ପ୍ରବଚନ ନିଶା: କହିଲେ, ଜେଲ୍‌ରୁ ଦେବି…

ଚଣ୍ଡିଗଡ଼: ମହିଳା ଭକ୍ତଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ୍। ଦଣ୍ଡ ଘୋଷଣା ପରେ ତାଙ୍କୁ ନେଇ ସାରା ଦେଶରେ ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା। ପରେ ଏହି ଚର୍ଚ୍ଚାର ପରିସମାପ୍ତି ଘଟିଲା। କିନ୍ତୁ ରାମ ରହିମ୍ ଜେଲ୍‌ରେ ଥାଇ ବି ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ରାମ ରହିମ୍ ଏବେ ଜେଲରେ ରହି ପ୍ରବଚନ ଦେବାକୁ ଚାହୁଁଛନ୍ତି। ସେ ପଞ୍ଜାବ ଓ ହରିୟାଣା କୋର୍ଟ ସମ୍ମୁଖରେ ଏକ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେ ଜେଲରେ ରହି ପ୍ରବଚନ ଦେବା ପାଇଁ ଅନୁମତି ମାଗିଛନ୍ତି। ପିଟିସନ୍‌ଟି ମାଲ୍‌ୱା ଇଂସା ଫଲୋୟରସ୍ ସଚ୍ଚା ସୌଦା ଆସୋସିଏସନ୍‌ର ଅଧକ୍ଷ ଦେବରାଜ ଗୋଏଲଙ୍କ ପକ୍ଷରୁ ଦାଖଲ ହୋଇଛି। ଆସନ୍ତା ୨୪ ତାରିଖରେ ଏହି ମାମଲା ଉପରେ ଶୁଣାଣି ହେବ।

ଦେବରାଜ ଗୋଏଲ ହାଇକୋର୍ଟକୁ ଅନୁରୋଧ କରିଛନ୍ତି ଯେ, ସେ ହରିୟାଣା ସରକାର ଓ ରାଜ୍ୟ ଜେଲ୍ ଅଧିକାରୀଙ୍କୁ ଗୁରମିତ ରାମ ରହିମ୍‌ଙ୍କ ପ୍ରବଚନ ରେକର୍ଡ କରି କିମ୍ବା ଲାଇଭ ଇଣ୍ଟରନେଟରେ ପ୍ରସାରିତ କରିବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଏହା ବ୍ୟତୀତ ଡେରା ଆଶ୍ରମରେ ଭକ୍ତମାନଙ୍କୁ ସାପ୍ତାହିକ,୧୫ ଦିନ କିମ୍ବା ମାସରେ ଥରେ ପ୍ରବଚନ ଦେଖାଇବାକୁ ନିର୍ଦ୍ଦେଶ ଦିଅନ୍ତୁ।