ସ୍କୁଲ ପରିସରରୁ ଛାତ୍ରର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୁରୁଗ୍ରାମ (ଓଡ଼ିଶା ରିପୋର୍ଟର): ଗୁରୁଗ୍ରାମର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ୭ ବର୍ଷର ଛାତ୍ରର ସନ୍ଦେହଜନକ ମୃତ୍ୟୁ ହୋଇଛି। ସ୍କୁଲର ଶୌଚାଳୟରୁ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଛି। ରୟାନ ଇଣ୍ଟରନ୍ୟାସନାଲ ସ୍କୁଲରେ ଘଟିଛି ଏହି ଅଘଟଣ। ମୃତ ଶିଶୁର ନାଁ ପ୍ରଦ୍ୟୁମ୍ନ ଏବଂ ସେ ଦ୍ୱିତୀୟ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ମୃତ ଶିଶୁର ବାପାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଆଜି ସକାଳ ୮ଟା ୧୫ରେ ସ୍କୁଲ ଯାଇଥିଲା। ଠିକ୍ ୮ଟା ୪୫ରେ ସ୍କୁଲରୁ ପୁଅ ଅସୁସ୍ଥ ଥିବା ଫୋନ ଆସିଥିଲା। ଖବର ପାଇ ସେ ସ୍କୁଲକୁ ଯାଇଥିଲେ, ସେଠାରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ପିଲାଟିର ତଣ୍ଟି କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଶବ ନିକଟରୁ ଏକ ଛୁରୀ ପୋଲିସ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏନେଇ ସ୍କୁଲ କର୍ତ୍ତୁପକ୍ଷ ଏବଂ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଛି। ଆବଶ୍ୟକ ପଡ଼ିଲେ ସ୍କୁଲ ଭିତରେ ଥିବା ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି। ସେପଟେ ଏହି ଘଟଣାରେ ମୃତ ଶିଶୁର ପରିବାର ଲୋକେ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି।