ତମାଖୁ ବିରୋଧରେ ଯୁଦ୍ଧ: ବ୍ରାଣ୍ଡଆମ୍ୱାସଡର୍ ସାଜିଲା କୁନିଝିଅ

ଜୟପୁର: ରାଜସ୍ଥାନ ହନୁମାନଗଡ ଜିଲ୍ଲାର କସିସ୍ । ବୟସ ମାତ୍ର ୧୨ବର୍ଷ। ହେଲେ କେବଳ ନିଜ ରାଜ୍ୟ ନୁହେଁ ସାରା ଦେଶରେ ଏବେ ଚର୍ଚ୍ଚାରେ। କାରଣ ଜିଲ୍ଲା ପ୍ରଶାସନ ତାଙ୍କୁ ତମାଖୁ ବିରୋଧି ଅଭିଯାନର ବ୍ରାଣ୍ଡ ଆମ୍ୱାସଡର୍ ଭାବେ ନିଯୁକ୍ତି ଦେଇଛନ୍ତି। ତେବେ କସିସ୍‌ଙ୍କୁ କାହିଁକି ବାଛିଲେ ସରକାର।

ଏ ପ୍ରଶ୍ନ ପଛରେ ରହିଛି ଏକ ସମ୍ୱେଦନଶୀଳ କାହାଣୀ। କିଛିଦିନ ତଳେ ୧୨ବର୍ଷିୟ କସିସ୍ ନିଜ ବାପାଙ୍କୁ ଏକ ଭାବପୂର୍ଣ୍ଣ ଚିଠି ଲେଖିଥିଲେ। ଲେଖାଟି ଥିଲା ଏହିଭଳି… ବାପା..ମୋତେ ଲାଗୁଛି ତୁମ ସ୍ୱପ୍ନକୁ ମୁଁ ପୁରଣ କରିବା ବେଳକୁ ତୁମେ ଆଉ ନଥିବ କାରଣ ମୁଁ ଜାଣିଛି ଯେଉଁମାନେ ସିଗାରେଟ୍ ଟାଣନ୍ତି ଓ ଗୁଟଖା ଖାଆନ୍ତି, ସେମାନଙ୍କ ଆୟୁଷ କମିଯାଏ ସେମାନେ ଶୀଘ୍ର ମରି ଯାଆନ୍ତି ମୁଁ ତୁମକୁ ଭଲପାଏ ବାପା ମୁଁ ବି ଜାଣିଛି ତୁମେ ମଧ୍ୟ ମୋତେ ବହୁତ ଭଲପାଅ ତେଣୁ ଦୟାକରି ମୋ ପାଇଁ ତୁମେ ତମାଖୁ ଖାଇବା ଛାଡିଦିଅ

ଏ ସମ୍ୱେଦନଶୀଳ ଚିଠିଟି ପଡୋଶୀଙ୍କ ହାତରେ ପଡିବା ପରେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗର ନଜରକୁ ଆସିଥିଲା। ଏହାପରେ ପ୍ରଶାସନ ଏହି କୁନିଝିଅକୁ ଡାକି ତମାଖୁ ବିରୋଧି ଅଭିଯାନର ବ୍ରାଣ୍ଡ ଆମ୍ୱାସଡର୍ କରିବାକୁ ପ୍ରସ୍ତାବ ଦେଇଥିଲା।