ଆତଙ୍କବାଦୀ ହାଫିଜ୍‌ ସୟିଦକୁ ଝଟ୍‌କା: ଲଢ଼ିପାରିବ ନାହିଁ ନିର୍ବାଚନ

ଇସ୍‌ଲାମ୍‌ବାଦ: ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍‌ ସୟିଦକୁ ପାକିସ୍ତାନ ନିର୍ବାଚନ କମିଶନଙ୍କ ଠାରୁ ଝଟ୍‌କା। ନିର୍ବାଚନ କମିଶନ ସୟିଦର ରାଜନୈତିକ ଦଳ ମିଲ୍ଲୀ ମୁସଲିମ୍ ଲିଗ୍‌କୁ ମାନ୍ୟତା ଦେଇ ନାହାନ୍ତି। ତା ଦଳ ନିର୍ବାଚନ ଲଢ଼ିପାରିବ ନାହିଁ ବୋଲି ମଧ୍ୟ ନିର୍ବାଚନ କମିଶନ କହିଛନ୍ତି। ଦଳ ପକ୍ଷରୁ ପୋଷ୍ଟରରେ ହାଫିଜ୍ ସୟିଦର ଫଟୋ ବ୍ୟବହାର କରାଯାଉଥିବାରୁ ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି।

ଗତ ଛଅ ମାସ ହେବ ହାଫିଜ୍‌ ସୟିଦ ପାକିସ୍ତାନରେ ନଜରବନ୍ଦୀ ହୋଇ ରହିଛି। ‘ମିଲ୍ଲୀ ମୁସଲିମ୍ ଲିଗ୍‌’କୁ ରାଜନୈତିକ ଦଳର ମାନ୍ୟତା ଦେବା ପାଇଁ ତା ସଙ୍ଗଠନ ଜମାତ-ଉଦ୍-ଦାୱା ପକ୍ଷରୁ ପାକିସ୍ତାନ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରାଯାଇଥିଲା। ମାସେ ତଳେ ଏହି ଦଳ ଗଠନ କରିଥିଲା ସୟିଦ।

୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛି ହାଫିଜ୍‌ ସୟିଦ। ଭାରତ ତା’ ବିରୋଧରେ  ବାରମ୍ୱାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଆସୁଛି।

ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ତେଣୁ ହାଫିଜ୍‌ ସୟିଦ ରାଜନୀତିରେ ପାଦ ଥାପିବାକୁ ଚେଷ୍ଟା କରୁଛି। ପାକିସ୍ତାନ ସେନା ଓ ଆଇଏସ୍‌ଆଇ ସହିତ ସୟିଦର ଭଲ ସମ୍ପର୍କ ରହିଛି। ହେଲେ ନିର୍ବାଚନ କମିଶନ ତାର ଏହି ଯୋଜନାକୁ ପଣ୍ଡ କରି ଦେଇଛନ୍ତି।