ଆଗାମୀ ବଜେଟ୍‌ ପାଇଁ ଅର୍ଥମନ୍ତ୍ରୀଙ୍କ ହାଲୁଆ ଉତ୍ସବ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଆଗାମୀ ବଜେଟ ପାଇଁ ଆରମ୍ଭ ହୋଇଛି ଆନୁଷ୍ଠାନିକ ପ୍ରକ୍ରିୟା । ଏହି ଅବସରରେ ଆଜି ନର୍ଥ ବ୍ଲକରେ ପାରମ୍ପରିକ ଭାବେ ହାଲଆ ଉତ୍ସବର ଆୟୋଜନ ହୋଇଥିଲା । ଅର୍ଥମନ୍ତ୍ରୀ ଜେଟଲି ପ୍ରତୀକାତ୍ମକ ଭାବେ ଏହି ଉତ୍ସବର ଉଦ୍‌ଘାଟନ କରିଥିଲେ । ଏକ ବଡ କଡେଇରେ ହାଲଓ୍ବା ପ୍ରସ୍ତୁତ କରି ଅର୍ଥମନ୍ତ୍ରାଳୟର ସବୁ କର୍ମଚାରୀଙ୍କୁ ଦିଆଯାଇଥିଲା । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ, ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଚନ୍ଦ୍ର ଗର୍ଗ ଓ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ଏହି ଉତ୍ସବରେ ଉପସ୍ଥିତ ଥିଲେ

ଏଥିସହ ଆଗାମୀ ବଜେଟର ବିଭିନ୍ନ ତଥ୍ୟର ମୁଦ୍ରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆଜିଠାରୁ ଅର୍ଥମନ୍ତ୍ରାଳୟର ୧୦୦ରୁ ଅଧିକ ଅଧିକାରୀ ନର୍ଥ ବ୍ଲକରେ ରହି ବଜେଟ ପ୍ରସ୍ତୁତିରେ ସାହାଯ୍ୟ କରିବେ।  ବଜେଟର ଗୋପନୀୟତା ରକ୍ଷା ପାଇଁ ଏହି ଅଧିକାରୀମାନେ ନର୍ଥବ୍ଲକ ପରିସରରୁ ବାହାରକୁ ଯିବା ଉପରେ କଟକଣା ରହିବ । ଏପରିକି ସେମାନଙ୍କୁ ପରିବାର ଲୋକଙ୍କ ସହ କଥା ହେବାକୁ ଅନୁମତି ମିଳିବ ନାହିଁ । ଏଭଳି ପ୍ରକ୍ରିୟା ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ। ଜାନୁୟାରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଫେବୃୟାରୀ ପହିଲାରେ ବଜେଟ ଆଗତ ହେବ।