ଭିଭିଆଇପି ହେଲିକପ୍ଟର ଦୁର୍ନୀତି: ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‌.ପି.ତ୍ୟାଗୀ ଗିରଫ

ନୂଆଦିଲ୍ଲୀ: ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‌.ପି. ତ୍ୟାଗୀ ଆଜି ଗିରଫ ହୋଇଛନ୍ତି। ବହୁ ଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର ଚୁକ୍ତି ଦୁର୍ନୀତି ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଛି। ପ୍ରଥମ ଥର ଲାଗି କୌଣସି ପୂର୍ବତନ ବାୟୁସେନା ମୁଖ୍ୟଙ୍କୁ ସିବିଆଇ ଗିରଫ କରିଛି। ତ୍ୟାଗିଙ୍କ ସହ ତାଙ୍କ ସମ୍ପର୍କୀୟ ସଞ୍ଜୀବ ତ୍ୟାଗି ଓ ଦିଲ୍ଲୀର ଏକ ଆଇନ୍‌ଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭିଭିଆଇପି ହେଲିକପ୍ଟର କିଣିବା ଲାଗି ୨୦୧୦ ମସିହାରେ ଅଗଷ୍ଟ ୱେଷ୍ଟଲ୍ୟାଣ୍ଡ କମ୍ପାନୀ ସହ ୩,୬୦୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ତେବେ ଏହି ଚୁକ୍ତି ପାଇବା ଲାଗି ଅଗଷ୍ଟ ୱେଷ୍ଟଲ୍ୟାଣ୍ଡ କିଛି ଭାରତୀୟ ଅଧିକାରୀ ଓ ରାଜନେତାଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ସିବିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ୪୨୩ କୋଟି ଟଙ୍କାର ଏହି ଲାଞ୍ଚ କାରବାରରେ ପୂର୍ବତନ ଏୟାରଚିଫ୍‌ ମାର୍ଶଲ ତ୍ୟାଗିଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ପୂର୍ବରୁ ଏକାଧିକ ବାର ତ୍ୟାଗିଙ୍କୁ ସିବିଆଇ ମୁଖ୍ୟାଳୟକୁ ଡକାଯାଇ ଜେରା କରାଯାଇଥିଲା।

ତ୍ୟାଗୀ ୨୦୦୪ରେ ନିଜ ସମ୍ପର୍କୀୟଙ୍କ ମଧ୍ୟରେ ଭିଭିଆଇପି ହେଲିକପ୍ଟର କିଣା ନେଇ ହୋଇଥିବା ଲାଞ୍ଚ କାରବାରରେ ଜଡିତ ଥିବା ବିସିଆଇ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ତ୍ୟାଗୀ ୨୦୦୪ ଡିସେମ୍ୱର ୩୧ରୁ ୨୦୦୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାୟୁସେନା ମୁଖ୍ୟ ଥିଲେ।

ଭିଭିଆଇପି ହେଲିକପ୍ଟର କିଣାରେ ଲାଞ୍ଚ କାରବାର ନେଇ ଅଭିଯୋଗ ପରେ ସିବିଆଇ ୨୦୧୩ ମାର୍ଚ୍ଚରେ ଏକ ଏତଲା ଦାୟର କରିଥିଲା। ଏହା ପରେ ୨୦୧୪ ଜାନୁଆରୀ ୧ ତାରିଖରେ ବାୟୁସେନାକୁ ୧୨ଟି ଭିଭିଇପି ହେଲିକପ୍ଟର କିଣିବା ଲାଗି ଅଗଷ୍ଟା ୱେଷ୍ଟଲାଣ୍ଡ ସହ ହୋଇଥିବା ଚୁକ୍ତିକୁ କେନ୍ଦ୍ର ସରକାର ରଦ୍ଦ କରି ଦେଇଥିଲେ।