ହାର୍ଦ୍ଦିକଙ୍କୁ ଜେଲ୍‌ ପରେ ବେଲ୍‌

ନୂଆଦିଲ୍ଲୀ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ୍ ପଟେଲଙ୍କୁ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ବିସନଗର କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି। ପଟିଦାର ସଂରକ୍ଷଣ ଆନ୍ଦୋଳନ ବେଳେ ବିସନଗରର ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଅଫିସ୍‌ରେ ଭଙ୍ଗାରୁଜା କରିବା ଅଭିଯୋଗରେ, ହାର୍ଦ୍ଦିକ୍‌ଙ୍କ ସମେତ ଲାଲାଜୀ ପଟେଲଙ୍କୁ ମଧ୍ୟ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହାସହ ଉଭୟଙ୍କୁ ୫୦ ହଜାର ଲେଖାଏ ଟଙ୍କାର ଜରିମାନା କରାଯାଇଛି। ଏହି ଏକ ଲକ୍ଷ ଟଙ୍କା ବିଧାୟକଙ୍କୁ କ୍ଷତିପୂରଣ ବାବଦକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ହାର୍ଦ୍ଦିକଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଜାମିନ୍ ଦେଇଛନ୍ତି।

୨୦୧୫ରେ ମେହସାଣାର ବିସନଗରରେ ପଟିଦାର ଆନ୍ଦୋଳନ ସମୟରେ ହାର୍ଦ୍ଦିକ୍ ଏବଂ ଅନ୍ୟ ୧୬ ଜଣଙ୍କ ନେତୃତ୍ୱରେ ୫୦୦ରୁ ଅଧିକ ଲୋକ ବିଧାୟକଙ୍କ ଅଫିସ୍‌ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ସୂଚନାଯୋଗ୍ୟ ଯେ, ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ନିଜ ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ସଂରକ୍ଷଣକୁ ନେଇ ଆସନ୍ତା ଅଗଷ୍ଟ ୨୫ ତାରିଖରୁ ହାର୍ଦ୍ଦିକ୍ ଆମରଣ ଅନଶନ କରିଥାନ୍ତେ। ଏନେଇ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା ତାଙ୍କ ଅନ୍ତିମ ଯୁଦ୍ଧ ବୋଲି ସେ ଏଥିରେ କହିଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More