ପାକିସ୍ତାନର ୫ କୋଟି ଟଙ୍କା ଉପରେ ଭାରି ପଡ଼ିଲା ଭାରତର ୧ ଟଙ୍କା, ପଢ଼ନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶି ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଅନ୍ତର୍ଜାତୀୟ କୋର୍ଟ। ଗୁଇନ୍ଦାଗିରି କରିବା ଅଭିଯୋଗରେ ପାକିସ୍ତାନର ସେନା କୋର୍ଟ ତାଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଭାରତର ବିଜୟ ହୋଇଥିବା ବେଳେ ପାକିସ୍ତାନର ମୁହଁ ଆମ୍ବିଳା ହୋଇଯାଇଛି।

ଅନ୍ତର୍ଜାତୀୟ କୋର୍ଟରେ ଭାରତ ତରଫରୁ ଯୁକ୍ତି ଉପସ୍ଥାପନ କରିଥିଲେ ନାମୀଦାମୀ ଓକିଲ ହରିଣ ସାଲ୍‌ଭେ। ନିଜ ଫି’ ବାବଦକୁ ସେ ଭାରତ ସରକାରଙ୍କ ନିକଟରୁ ମାତ୍ର ୧ ଟଙ୍କା ନେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଏହି ମାମଲା ଲଢୁଥିବା ଖୈବର କୁରୈଶୀ ୫ କୋଟି ଟଙ୍କା ନେଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ଓକିଲ ୫ କୋଟି ଟଙ୍କାର ମୋଟା ଫି’ ନେଇଥିଲେ ମଧ୍ୟ କୋର୍ଟରେ ଦୃଢ଼ ଯୁକ୍ତି ଓ ଦଲିଲ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ। ଆଉ ଏହାକୁ ନେଇ ପାକିସ୍ତାନ ତାଙ୍କ ଉପରେ ଖପ୍ପା ହୋଇଯାଇଛି। ଅନ୍ୟପକ୍ଷରେ ହରିଶ ଉପସ୍ଥାପନ କରିଥିବା ସମସ୍ତ ଦଲିଲକୁ ଅନ୍ତର୍ଜାତୀୟ କୋର୍ଟ ଧ୍ୟାନ ଦେଇ ଶୁଣିବା ସହିତ ତାଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ। ଗତକାଲି ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଭାରତୀୟମାନେ ଟ୍ୱିଟ୍ କରି ହରିଶ ସାଲ୍‌ଭେଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି। ଏକ ଟ୍ୱିଟରରେ ଲେଖା ଅଛି ଏକ ଟଙ୍କାରେ ପାକିସ୍ତାନକୁ ଛିନ୍‌ଛତର କରିବାରେ ହରିଶ ସାଲ୍‌ଭେ ଭାରତର ପ୍ରଥମ ଓକିଲ। ଆଉ ଜଣେ ଲେଖିଛନ୍ତି ବେଳେ ବେଳେ ମାତ୍ର ଏକ ଟଙ୍କା ୧୨୫ କୋଟି ଲୋକଙ୍କ ହୃଦୟ ଜିତି ପାରେ।

କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ହରିଶ ସାଲ୍‌ଭେ ଦେଶର ଜଣେ ମହଙ୍ଗା ଓକିଲ। ସେ ମୋଟା ଫି’ ନିଅନ୍ତି। କିନ୍ତୁ କୁଳଭୂଷଣ ମାମଲାରେ ସେ ନିଜ ପାଉଣା ବାବଦକୁ ମାତ୍ର ୧ ଟଙ୍କା ନେବାକୁ କହିଥିଲେ। ନିଜେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।

ରିପୋର୍ଟ ଓ ଫଟୋ- ଏନ୍‌ଡିଟିଭି