ଦାମୀ ଓକିଲଙ୍କ ବଦାନ୍ୟତା : ୩୦ ଲକ୍ଷ ନୁହେଁ ୧ ଟଙ୍କାରେ କୁଳଭୂଷଣଙ୍କ ଲାଗି ଲଢିଲେ ହରିଶ୍‌ ସାଲଭେ

ନୂଆଦିଲ୍ଲୀ: ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ପୂର୍ବତନ ନୌସେନା ଅଧିକାରୀ  କୁଳଭୂଷଣଙ୍କ ମାମଲାକୁ ନେଇ ଗତକାଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ(ଆଇସିଜେ) ଶୁଣାଣି ହୋଇଥିଲା। ଏହି ମାମଲାରେ ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରହିଛି। ତେବେ କୁଳଭୂଷଣଙ୍କ ଲାଗି ଆଇସିଜେରେ ଭାରତର ନାମୀଦାମୀ ଓକିଲ ହରିଶ୍‌ ସାଲଭେ ଲଢିଥିଲେ। କୁଳଭୂଷଣଙ୍କୁ ନେଇ ଗତକାଲି କୋର୍ଟରେ ଜୋରଦାର ତର୍କବିତର୍କ ଚାଲିଥିବା ବେଳେ ହରିଶ ସାଲଭେ ବଳିଷ୍ଟ ଯୁକ୍ତି ଉପସ୍ଥାପନା କରିଥିଲେ।

ତେବେ ଏଥିପାଇଁ ସେ ଦାବି କରିଥିବା ପାଉଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  ଏହି ବରିଷ୍ଠ ଓକିଲ ଜଣକ କୁଳଭୂଷଣଙ୍କ  ମାମଲା ପରିଚାଳନା ପାଇଁ ମାତ୍ର ୧ ଟଙ୍କା ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱାରାଜ୍‌ ଟ୍ୱିଟ୍‌ କରି ଜଣାଇଛନ୍ତି।  କୁଳଭୂଷଣଙ୍କ ଲାଗି ପ୍ରଥମରୁ ସେ ମାଗଣାରେ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ନିଜ ବୃତ୍ତିକୁ ସମ୍ମାନ ଜଣାଇ  ଏବଂ ସୌଜନ୍ୟମୂଳକ ଭାବେ ହରିଶ ସାଲଭେ ମାତ ୧ ଟଙ୍କା ପାରିଶ୍ରମିକ ନେଇଥିବା ସୁଷମା କହିଛନ୍ତି। ସୁଷମାଙ୍କ ଏହି ଟ୍ୱିଟ୍‌ ପରେ ଅନେକ ରି- ଟ୍ୱିଟ୍‌ କରି ହରିଶ ସାଲଭେଙ୍କ ମହାନତାକୁ ପ୍ରଂଶସା ଜଣାଇଛନ୍ତି। ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୩ ତାରିଖରେ କୁଳଭୂଷଣକୁ ଗିରଫ କରିଥିଲା ପାକିସ୍ତାନ। ପରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ମିଲିଟାରୀ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ଏନେଇ ଭାରତ ମେ ୮ ତାରିଖରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲା। ଗତକାଲି ଏନେଇ ଶୁଣାଣି ହୋଇଥିଲା।

ହରିଶଙ୍କ ସମ୍ପର୍କରେ ଅଳ୍ପ କିଛି

ସୁପ୍ରିମକୋର୍ଟରେ ପ୍ରାକ୍ଯିସ୍‌ କରୁଥିବା  ଯେଉଁ କେତେଜଣ ନାମକରା ଓକିଲ ଅଛନ୍ତି ସେମାନଙ୍କ ମଧ୍ୟରେ ହରିଶ୍‌ ସାଲଭେ ଅନ୍ୟତମ। ସବୁଠାରୁ ଦାମୀ ଓକିଲ ଭାବେ ସେ ଜଣାଶୁଣା। ଏପରିକି ଦିନକର ଶୁଣାଣି ପାଇଁ ସେ ୨୦ରୁ ୩୦ ଲକ୍ଷ ଟଙ୍କା ଦାବି କରିନ୍ତି।  ସିଏ ମଧ୍ୟ ପୂର୍ବରୁ ଭାରତର ସଲିସିଟର ଜେନେରାଲ ଥିଲେ।