ହରିଆଣାରେ କେବଳ ପାଠପଢ଼ି ଥିବା ବ୍ୟକ୍ତି ଲଢ଼ିପାରିବେ ପଂଚାୟତ ନିର୍ବାଚନ

ନୂଆଦିଲ୍ଲୀ: ହରିଆଣାରେ ଏଣିକି କେବଳ ଶିକ୍ଷିତ ବ୍ୟକ୍ତିମାନେ ପଂଚାୟତ ନିର୍ବାଚନ ଲଢ଼ିପାରିବେ। ଏନେଇ ଥିବା ବାଧା ହଟିଯାଇଛି। ଫଳରେ ଏହାକୁ ଲାଗୁ କରିବାରେ ହରିଆଣା ସରକାରଙ୍କ ପାଇଁ ବାଟ ସୁଗମ ହୋଇଛି।

ହରିଆଣା ସରକାରଙ୍କ ଏଭଳି ଏକ ଆଇନ ଉପରେ ସେପ୍ଟେମ୍ବର ୧୫ ତାରିଖରେ ଅନ୍ତରୀଣ ରହିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ। ତେବେ ସୁପ୍ରିମକୋର୍ଟ ଏହି ରୋକ ହଟାଇ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ହରିଆଣା ସରକାରଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନଗୁଡ଼ିକ ମଧ୍ୟରେ ଥିଲା- ଏହି ନୂଆ ନିୟମ ଲାଗୁ ହେଲେ କେତେ ଲୋକ ନିର୍ବାଚନ ଲଢ଼ିପାରିବେ ନାହିଁ? ରାଜ୍ୟରେ କେତେ ଶୌଚାଳୟ ଅଛି? ରାଜ୍ୟରେ କେତେ ସ୍କୁଲ୍ ଅଛି? ଏସବୁ ପ୍ରଶ୍ନର ଉତ୍ତରରେ ସରକାର ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ନୂଆ ନିୟମ ଲାଗୁ ହେଲେ ରାଜ୍ୟର ୪୩% ଲୋକ ପଂଚାୟତ ନିର୍ବାଚନ ଲଢ଼ିପାରିବେ ନାହିଁ। ରାଜ୍ୟରେ ୮୪ ପ୍ରତିଶତ ଲୋକଙ୍କ ଘରେ ପାଇଖାନା ଅଛି। ସେହିପରି ରାଜ୍ୟରେ ୨୦ ହଜାର ସ୍କୁଲ୍ ରହିଛି।

ପ୍ରତିପକ୍ଷ ଏହି ସବୁ ପରିସଂଖ୍ୟାନ ଭୁଲ୍ ବୋଲି ଯୁକ୍ତି କରିଥିଲେ। ଆବେଦନକର୍ତ୍ତାଙ୍କ ପକ୍ଷରୁ କୁହାଯାଇଥିଲା ଯେ ନୂଆ ନିୟମ ଲାଗୁ ହେଲେ ରାଜ୍ୟର ୬୪ ପ୍ରତିଶତ ଲୋକ ନିର୍ବାଚନ ଲଢ଼ି ପାରିବେ ନାହିଁ। ସେହିପରି ୮୩ ପ୍ରତିଶତ ଦଳିତ ମହିଳା ନିର୍ବାଚନ ଲଢ଼ିପାରିବେ ନାହିଁ।

ତେବେ ସୁପ୍ରିମକୋର୍ଟ ହରିଆଣା ସରକାରଙ୍କ ଯୁକ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହିତ ଏହି ଆଇନ ଉପରକୁ ରୋକ ହଟାଇ ଦେଇଥିଲେ।

ହରିଆଣା ସରକାରଙ୍କ ନୂଆ ନିୟମ ଅନୁଯାୟୀ ପଂଚାୟତ ନିର୍ବାଚନ ଲଢ଼ିବାକୁ ଜଣେ ସାଧାରଣ ବର୍ଗର ପୁରୁଷଙ୍କୁ ୧୦ମଶ୍ରେଣୀ ପାସ୍ କରିବାକୁ ପଡ଼ିବ। ଦଳିତ ଓ ମହିଳାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ଥିବା ଜରୁରୀ। ଏହା ବ୍ୟତୀତ ପ୍ରାର୍ଥୀ ହେବାକୁ ଇଚ୍ଛୁକ ବ୍ୟକ୍ତିଙ୍କର ବିଦ୍ୟୁତ୍ ବିଲ୍ ବକେୟା ନ ଥିବ। ସେହିପରି ବ୍ୟାଙ୍କରେ କୌଣସି ଲୋନ୍ ନେଇ ଶୁଝି ନଥିଲେ ଅବା ଗମ୍ଭୀର ଅପରାଧିକ ଚାର୍ଜସିଟ୍ ରହିଥିଲେ ଜଣେ ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେ ନାହିଁ।