‘ଘୃଣାରୁ ସୃଷ୍ଟି ହୋଇଛି ପାକିସ୍ତାନ: ଆଉ ୨୦ରୁ ୨୫ ବର୍ଷରେ ନିଶ୍ଚିହ୍ନ ହେବା ନିଶ୍ଚିତ, ନହେଲେ ମୋ କବରରେ ଛେପ ପକାଇବ’

‘ପାକିସ୍ତାନ ଘୃଣାରୁ ସୃଷ୍ଟି ହୋଇଛି। ଆଉ ମାତ୍ର ୨୦ରୁ ୨୫ ବର୍ଷ ମଧ୍ୟରେ ଏହା ଧ୍ୱଂସ ନହେଲେ ମୋ କବରରେ ଛେପ ପକାଇବ।’

ପାକିସ୍ତାନକୁ ଘୃଣା କରୁଥିବା କୌଣସି ବ୍ୟକ୍ତି ଏହା କହିନାହାଁନ୍ତି। ଏପରି ଚରମବାଣୀ ଶୁଣାଇଛନ୍ତି ପାକିସ୍ତାନର ଜଣାଶୁଣା ବୁଦ୍ଧିଜୀବୀ ହସନ ନିସାର। ପାକିସ୍ତାନ ସୃଷ୍ଟି କରୁଥିବା ଅଶାନ୍ତି ଓ ଏହାର ପରିଣତିକୁ ନେଇ ହାତଗଣତି ୨ରୁ ୩ ଜଣ ପାକିସ୍ତାନୀ ବୁଦ୍ଧିଜୀବୀ ମୁହଁ ଖୋଲିଥାନ୍ତି। ସେମାନଙ୍କ ମଧ୍ୟରେ ହସନ ନିସାର ଜଣେ।

ପାକିସ୍ତାନର ବର୍ତ୍ତମାନ ସ୍ଥିତିକୁ ନେଇ ନିସାର ଏହିପରି ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି- “ଇସଲାମିକ୍ ପାକିସ୍ତାନ ୨୦ରୁ ୨୫ ବର୍ଷରେ ଶେଷ ନହେଲେ ଆପଣମାନେ ମୋ କବରରେ ଛେପ ପକାଇବ।”

ସେ ଆହୁରି କହିଛନ୍ତି, ଘୃଣାରୁ ପାକିସ୍ତାନର ସୃଷ୍ଟି ହୋଇଛି। ଯାହା ଘୃଣାରୁ ସୃଷ୍ଟି ହୋଇଥାଏ ତାହାର ମୂଳଦୁଆ ମଜବୁତ ନଥାଏ, ତେଣୁ ଧ୍ୱଂସ ହେବା ନିଶ୍ଚିତ। ଏଠାରେ କେହି ବି କାହାକୁ ନେଇ ଖୁସି ନାହାନ୍ତି। ବେଲୁଚିସ୍ତାନଠାରୁ ନେଇ ସିନ୍ଧ ଓ ପସ୍ତୁନ, ସବୁଠି ପାକିସ୍ତାନ ବିରୋଧରେ ଅସନ୍ତୋଷ ଲାଗି ରହିଛି। ବିଚ୍ଛିନ୍ନତାବାଦୀ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗିଛନ୍ତି। ପଞ୍ଜାବରେ ସମସ୍ତେ ଲୁଟ୍‌ରେ ମାତିଛନ୍ତି। ୨୦ରୁ ୨୫ ବର୍ଷ ମଧ୍ୟରେ ଚୀନ୍‌ ନିୟନ୍ତ୍ରଣକୁ ପାକିସ୍ତାନ ଆସିଯିବ। ନିଜ ଭିତରେ ହିଁ ପାକିସ୍ତାନୀ ଲଢିବେ ଆଉ ବାକି କାମ ଚୀନ୍‌ ସାରି ଦେବ।

ଆମେରିକାକୁ ନେଇ ମଧ୍ୟ ନିସାର ଚରମବାଣୀ ଶୁଣାଇଛନ୍ତି। ସେ କହିଛନ୍ତି, ଆମେରିକା ଓ ଚୀନ୍‌ଠାରୁ ପାଉଥିବା ଆର୍ଥିକ ସହାୟତାରେ ପାକିସ୍ତାନ ଏତେଦିନ ଚାଲି ଆସିଛି। ଏବେ ଆଉ ଆମେରିକା ମାଗଣାରେ କିଛି ଦେବନାହିଁ। ଚୀନ୍‌ ଲୁଟିବା ଆରମ୍ଭ କରିଦେବ। ଏପରି ସ୍ଥିତିରେ ଆମ ପାଖରେ ଖାଇବାକୁ ନଥିବ ଓ ନରେନ୍ଦ୍ର ମୋଦି ପାଣି ଅଟକାଇ ଦେବେ। ଏହାପରେ ପାକିସ୍ତାନର ଦଶା ଓ ଦିଶା କ’ଣ ହେବ ଆପଣମାନେ ଅନୁମାନ ଲଗାଇ ପାରୁଥିବେ।