ଗିରଫ ହେବେ ରାଜୀବ କୁମାର!

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିଛି। ଶାରଦା ଚିଟ୍‌ଫଣ୍ଡ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିବା ପାଇଁ ଆଜି ବାଟ ଫିଟିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ଆଜି କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରି ତାଙ୍କୁ ସିବିଆଇ ନୋଟିସ୍‌ ଅନୁଯାୟୀ ଜେରାର ସମ୍ମୁଖୀନ ହେବାକୁ କହିଛନ୍ତି।

ଆବେଦନକାରୀ ରାଜୀବ କୁମାର ସିବିଆଇ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗ ମିଛ। ଏଥିସହ ସିବିଆଇ ଚାହିଁଲେ ରାଜୀବ କୁମାରଙ୍କୁ ଗିରଫ ମଧ୍ୟ କରିପାରିବ ବୋଲି କୋର୍ଟ ରୁଲିଂ ଦେଇଛନ୍ତି।

ବର୍ତ୍ତମାନ ପଶ୍ଚିମବଙ୍ଗ ସିଆଇଡିର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ରାଜୀବ କୁମାର ପୂର୍ବରୁ କୋଲକାତା ପୁଲିସ୍‌ କମିଶନର ଭାବେ କାର୍ଯ୍ୟ କରୁଥିଲେ। ବହୁ ଚର୍ଚ୍ଚିତ ଶାରଦ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ମୁଖ୍ୟ ରାଜୀବ କୁମାର ଥିଲେ। ତେବେ ସେ ଏହି ଦୁର୍ନୀତିରେ ସାମିଲ ଥିବା ଏକାଧିକ ରାଜନେତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି।

ଏଥିପାଇଁ ତାଙ୍କୁ ସିବିଆଇ ଜେରା କରିବା ସହ ଗିରଫ କରିବାକୁ ଚାହୁଁଛି।