ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ପିଟିପିଟି ମାରିଦେଲେ

ଜୟପୁର: ଏକ ଜମିଜମା ବିବାଦର ତଦନ୍ତ କରିବାକୁ ଯାଇ ଜଣେ ହେଡ୍ କନ୍‌ଷ୍ଟେବଲ୍‌ଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି। ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ଏହି କନ୍‌ଷ୍ଟେବଲ୍‌ ତଦନ୍ତ କରିବାକୁ ଯାଇଥିବା ବେଳେ ଗୋଟିଏ ଗୋଷ୍ଠୀର ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି।

ହେଡ୍‌ କନ୍‌ଷ୍ଟେବଲ୍‌ ଦାୟିତ୍ୱରେ ଥିବା ଅବ୍ଦୁଲ ଗନି ନାମକ ଏହି ବ୍ୟକ୍ତି କୁଆଁରିଆର ବାସିନ୍ଦା। ସେ ଏହି ଜମି ବିବାଦର ତଦନ୍ତ କରିବା ପାଇଁ ବିବାଦୀୟ ସ୍ଥାନକୁ ଯାଇଥିଲେ। ଯେଉଁଠାରେ ଜମି ଦଖଲକୁ ନେଇ ଯୁକ୍ତିତର୍କ ହେବାରୁ ତାଙ୍କୁ ଦଳବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ସେ ଏଥିରେ ଅତି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ସେ ମୃତ ଘୋଷିତ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ରାଜ୍ୟ ପୁଲିସ୍‌ ବିଭାଗ ସ୍ତବ୍ଧ ହୋଇଯାଇଛି। ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।