ଡାକ୍ତର ଓ ହସ୍ପିଟାଲରେ ସୁରକ୍ଷା: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟ ଦେଶରେ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସୂର୍ଯ୍ୟ କାନ୍ତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ ପଶ୍ଚିମବଙ୍ଗର ନୀଲରତନ ମେଡିକାଲ କଲେଜର ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟମାନଙ୍କର ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସୁରକ୍ଷା ଏବଂ ନିରାପତ୍ତା ଦାବି କରି କୋଲକାତାର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏବେ ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପିଛି। ଏହାଦ୍ୱାରା ସ୍ୱାସ୍ଥ୍ୟସେବା ଏକ ପ୍ରକାର ଠପ୍ ହୋଇପଡ଼ିଛି। ଏହାକୁ ନଜରରେ ରଖି ଗତ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ଶୁଣାଣି ପାଇଁ ଆଜି ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତ ରାଜି ହୋଇଛନ୍ତି।ଆବେଦନକାରୀ ଆଲୋକ ଶ୍ରୀବାସ୍ତବ ନିଜ ଆବେଦନରେ ଦେଶର ସମସ୍ତ ହସ୍ପିଟାଲ ଏବଂ ଡାକ୍ତରଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି। ପଶ୍ଚିମବଙ୍ଗରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଆନ୍ଦୋଳନ କରୁଛନ୍ତି।ତେଣୁ ଅନେକ ହସ୍ପିଟାଲରେ ଡାକ୍ତର ନଥିବାରୁ ରୋଗୀଙ୍କ ଚିକିତ୍ସା ହୋଇପାରୁନି ଏବଂ ଡାକ୍ତରଙ୍କର ଅନୁପସ୍ଥିତି ପାଇଁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା ଆବେଦନକାରୀ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଦିଲ୍ଲୀ ଏମସର ଜଣେ ଡାକ୍ତର ମଧ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଧମକର ଶିକାର ହୋଇଛନ୍ତି। ଏହାପରେ ଥାନାରେ ମାମଲା ରୁଜୁ ହୋଇଛି।