ରକ୍ତ ଜୁଡୁବୁଡୁ ଝିଅ କହୁଥିଲା-ମମ୍ମି ଆଇ ଲଭ ୟୁ, ହେଲେ ଲୋକେ ମାତିଥିଲେ ଭିଡିଓ ସୁଟିଂରେ

ମିରଟ: ସମସ୍ତେ କହୁଛନ୍ତି ସ୍ମାର୍ଟ ହେଉଛି ମଣିଷ। ହେଲେ ଅନେକ କହନ୍ତି ସ୍ୱାର୍ଥପର ହେଉଛି ମଣିଷ। ଏ ଦୁଇଛି ଶବ୍ଦକୁ ନେଇ କେଉଁଠି ଅଭିଯୋଗ ତ ପୁଣି କେଉଁଠି ଅଭିମାନ। କାରଣ ସ୍ମାର୍ଟଫୋନ୍ ଧରି ଆଜିର ମଣିଷ ନିଜକୁ ନିଜେ ସ୍ମାର୍ଟ କହୁଛି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ ପାଖରେ ପହଞ୍ଚାଇବୁ, ଏ ଦୁଇଟି ଶବ୍ଦକୁ ନେଇ ଆପଣଙ୍କ ଭିତରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଯିବ।

ମେ 24ତାରିଖ। ସଂଧ୍ୟା ପ୍ରାୟ 6ଟା। ଉତ୍ତର ପ୍ରଦେଶର ମିରଟ ସ୍ଥିତ ହପୁଡା ରୋଡର ଶାସ୍ତ୍ରୀନଗରରେ ଘଟିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦଶମ ଶ୍ରେଣୀର ପଢୁଥିବା କନକ ବର୍ମାଙ୍କ ନିଜ ଜେଜେଙ୍କ ସହ ଟ୍ୟୁସନ୍ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଚଢିଗଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍।  ଦୁର୍ଘଟଣାର ଶୀକାର କନକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଗଲା। ହେଲେ ସାଥୀରେ ଥିବା ଜେଜେଙ୍କର କିନ୍ତୁ କିଛି ହୋଇନଥାଏ। ରକ୍ତ ଜୁଡୁବୁଡୁ ଝିଅ ପାଟିରୁ ଗୋଟିଏ ଧାଡ଼ି ବାହାରୁଥାଏ-ମାମା ଆଇ ଲଭ୍ ୟୁ। ମୋତେ ବଂଚାଇ ଦିଅ। ମାଆ ଆଇ ଲଭ ୟୁ। ମୋତେ ବଂଚାଇ ଦିଅ। ଖବର ପାଇଁ ମା ଆସି ପହଞ୍ଚିଲେ ଘଟଣାସ୍ଥଳରେ। ୟା ଭିତରେ ବିତି ଯାଇଥାଏ 30 ମିନିଟ୍। ଝିଅ ପଡିଥାଏ ରାସ୍ତା ଉପରେ, ଲୋକଙ୍କ ଭିଡ଼ ଜମିଥାଏ ଦୁର୍ଘଟଣାସ୍ଥଳରେ। ହେଲେ କେହି ବି ଆମ୍ବୁଲାନସକୁ ଡାକୁ ନଥିଲେ କି ପୋଲିସକୁ ଖବର ଦେଉନଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ନିଜକୁ ସ୍ମାର୍ଟ ବୋଲାଉଥିବା ମଣିଷମାନେ ହାତରେ ଧରିଥିବା ସ୍ମାର୍ଟଫୋନ୍ ସାହାଯ୍ୟର ଭିଡିଓ ସୁଟିଂ କରୁଥିଲେ, ହେଲେ କେହି ଆଗେଇ ଆସି ନଥିଲେ ରକ୍ତଜୁଡୁବୁଡୁ ଝିଅଟିକୁ ମେଡିକାଲରେ ନେବାକୁ। ନିଜ ସ୍ମାର୍ଟଫୋନରେ କଲ୍ ଟିଏ କରିଥିଲେ ହୁଏତ ପହଞ୍ଚି ଯାଇଥାନ୍ତା ଆମ୍ବୁଲାନସ। ହେଲେ ମାନବିକତାକୁ ହରାଇ ସାରିଥିବା ମଣିଷମାନେ ତାହା କରି ନଥିଲେ।

ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିବା ଝିଅଟି ନିଜ ମାକୁ ବହୁତ ଖୋଜୁଥିଲା। 30 ମିନିଟ୍ ପର୍ଯ୍ୟନ୍ତ କନକ ରାସ୍ତାରେ ପଡି ଛଟପଟ ହେଉଥିଲା। ମାଆ ପହଞ୍ଚିବା ପରେ ଅବାକ୍ ହୋଇଯାଇଥିଲେ।  ଗୋଟେ ମା ପାଇଁ ଏହା କେଉଁ ଭୟଙ୍କର ସ୍ୱପ୍ନ ଠାରୁ କମ୍ ନଥିଲା। ଶେଷରେ ମା ଓ ଭାଇ ତାଙ୍କୁ  ଡାକ୍ତରଖାନା ନେଇଯାଇଥିଲେ। କିନ୍ତୁ ସେଠାରେ କନକ ପ୍ରାଣ ହରାଇଥିଲା।

ପ୍ରଶ୍ନ ଉଠୁଛି ଲୋକମାନେ କନକ ବର୍ମାଙ୍କୁ ଡାକ୍ତରଖାନା କାହିଁକି ନେଇ ନଥିଲେ। କନକଙ୍କ ମା ଓ ଭାଇଙ୍କୁ ସାହାଯ୍ୟ କାହିଁକି କରିନଥିଲେ। କାହିଁକି ସେମାନେ ତୁରନ୍ତ ଆମ୍ବୁଲାନ୍ସକୁ ଡାକିନଥିଲେ। ଲୋକଙ୍କ କାମ କଣ ଖାଲି ଭିଡିଓ ସୁଟିଂ କରିବାରେ ସୀମିତ। ହୁଏତ ଲୋକଙ୍କ କିଛିଟା ସାହାଯ୍ୟରେ ଦୁର୍ଘଟଣାଗସ୍ତ ଝିଅର ଜୀବନ ବଞ୍ଚିଯାଇଥାନ୍ତା। ସତରେ କଣ ଜଣେ ଝିଅର ଜୀବନ ଠାରୁ ଭିଡିଓ ଏତେ ଜରୁରୀ। ଏବେ ସମୟ ଆସିଛି ଭାବିବାର, ଆମେ ସ୍ମାର୍ଟ ନା ସ୍ୱାର୍ଥପର।