ପାକିସ୍ତାନକୁ ୮ ବର୍ଷରେ ସବୁଠୁ ବଡ଼ ଆର୍ଥିକ ଝଟକା

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ଦେଶକୁ ଏକ ବଡ଼ ଝଟକା ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଅଟୋ ଶିଳ୍ପ ମାନ୍ଦା ଅବସ୍ଥାରେ ରହିଥିବାରୁ ସବୁ ବଡ଼ ବଡ଼ ଅଟୋମୋବାଇଲ କମ୍ପାନୀ ଉତ୍ପାଦନ ବନ୍ଦ କରିଦେଇଛନ୍ତି। ଅନ୍ୟପଟେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପାକିସ୍ତାନ(ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପାକିସ୍ତାନ୍) ମଧ୍ୟ ଋଣ ପାଇଁ ସୁଧ ହାର ବଢ଼ାଇଛି।
ଦୀର୍ଘ ୮ ବର୍ଷ ପରେ ଋଣ ଉପରେ ସୁଧ ହାର ୧୩.୨୫ ପ୍ରତିଶତ ହୋଇଛି। ଯାହାକୁ ନେଇ ଏବେ ଚିନ୍ତାରେ ଋଣ ନେଇଥିବା ପାକିସ୍ତାନୀ ଋଣଗ୍ରହୀତା। ଏହାବ୍ୟତୀତ ଆମେରିକାର ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ବିନିମୟ ମୂଲ୍ୟ କମ୍ ହୋଇ ଚାଲିଛି। ଆମେରିକାର ୧ ଡଲାରର ମୂଲ୍ୟ ୧୬୦ ପାକିସ୍ତାନୀ ଟଙ୍କା ପାର ହୋଇ ଗଲାଣି।
ତେବେ ଏସବୁର ପ୍ରଭାବ ପାକିସ୍ତାନର ସମସ୍ତ ନାଗରିକଙ୍କ ଉପରେ ପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି। କମ୍ପାନୀ ଗୁଡ଼ିକ ସକ୍ରିୟ ରହିବା ପାଇଁ କଷ୍ଟ କଟିଂ ଉପରେ ଗୁରୁତ୍ୱ ଦେବେ। ଯାହାର ପରିଣାମ ପାକିସ୍ତାନରେ ବେରୋଜଗାରି ବଢ଼ିବ।