ଏମିତି ଓଳେଇଲେ, ଭୁଇଁ ଛୁଇଁଲାନି ହେମାଙ୍କ ଝାଡ଼ୁ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସଂସଦ ପ୍ରାଙ୍ଗଣରେ ଆୟୋଜିତ ‘ସ୍ୱଚ୍ଛ ଭାରତ ଅଭିଯାନ’ ବେଳେ ହଟହଟା ହୋଇଛନ୍ତି ବିଜେପି ସାଂସଦ ହେମା ମାଳିନୀ। ସାଥୀ ସାଂସଦମାନେ ଓଳାଉଥିବା ସମୟରେ ତାଙ୍କ ଝାଡ଼ୁ ପବନରେ ପହଁରୁଥିବା ଦେଖି ସୋଶାଲ ମିଡିଆରେ ବେଶ୍‌ ସମାଲୋଚିତ ହୋଇଛନ୍ତି ହେମା।

କଳା ଚଷମା ପିନ୍ଧା ହେମାଙ୍କ ଓଳାଇବା ଷ୍ଟାଇଲରୁ ଲାଗୁଛି ସତେ ଯେପରି ସେ ଓଳାଇବାର ଅଭିନୟ କରୁଛନ୍ତି ବା ଫଟୋ ଉଠାଇବା ପାଇଁ ପୋଜ୍‌ ଦେଉଛନ୍ତି। ଏପରକି ତାଙ୍କ ଝାଡ଼ୁର ଆଖ ପାଖରେ ଅଳିଆ ନଥିଲେ ମଧ୍ୟ ସେ କ’ଣ ଓଳାଉଥିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।


ଏହି ସ୍ୱଚ୍ଛତା ଅଭିଯାନର କଡ଼ା ସମାଲୋଚନା କରିଛନ୍ତି ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା। ସେ କହିଛନ୍ତି ସଂସଦ, ବିଶେଷ କରି ଅଧିବେଶନ ଚାଲିଥିବା ସମୟରେ, ଦେଶର ସବୁଠାରୁ ସ୍ୱଚ୍ଛ ସ୍ଥାନ। ଏହାକୁ ଓଳାଇବା କ’ଣ ଦରକାର ଥିଲା।


ସେ ହେମାଙ୍କ ଓଳାଇବା ଦେଖି କହିଛନ୍ତି, “ମ୍ୟାମ୍‌ ଏଭଳି ଓଳାଇବାର ଫଟୋ ଉଠାଇବା ଆଗରୁ ଘରେ ଅଭ୍ୟାସ କରି ଆସନ୍ତୁ। ଏହି ଓଳାଇବାର ଟେକ୍‌ନିକ୍‌ ନା ମଥୁରା ନା ଦେଶର ଅନ୍ୟ କୌଣସି ସ୍ଥାନକୁ ସଫା କରିପାରିବ। ସୂଚନାଯୋଗ୍ୟ ଯେ, ହେମା ଆସନ୍ତା ସପ୍ତାହରେ ତାଙ୍କ ସଂସଦୀୟ କ୍ଷେତ୍ର ମଥୁରାରେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବେ ବୋଲି କହିଛନ୍ତି।

ନିର୍ବାଚନ ସମୟରେ ହେମାଙ୍କ ଚାଷୀ ଅବତାରର ଫଟୋ ବେଶ୍‌ ଚର୍ଚ୍ଚିତ ହୋଇଥିଲା।