ଯାତ୍ରୀଙ୍କ ମାନସିକତା ଦେଖି ‘ତେଜସ୍‌’ ତାଜୁବ୍ : ଚୋରାଇ ନେଲେ ସୌଖୀନ୍ ସାମଗ୍ରୀ

ମୁମ୍ବାଇ: ପ୍ରଥମ ଦିନରୁ ଗାଏବ। ତେଜ୍‌ସ ଏକ୍ସପ୍ରେସ୍‌ରୁ ବହୁ ସୌଖୀନ ସାମଗ୍ରୀ ଚୋରି  ଅଭିଯୋଗ। ବିଳାସପୂର୍ଣ୍ଣ ଯାତ୍ରା ପାଇଁ  ଏହି ତେଜ୍‌ସ୍‌ ଏକ୍ସପ୍ରେସ୍‌ରେ ପ୍ରଥମଥର ପାଇଁ  ସବୁ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରାଯାଇଥିଲା।  ହେଡ୍‌ ଫୋନ୍‌ , ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ମନୋରଞ୍ଜନ ପାଇଁ  ପ୍ରତି ସିଟ୍‌ରେ ୯ ଇଞ୍ଚର ସ୍କ୍ରିନ୍‌, ଟି-କଫି ଭେଣ୍ଡି ମେସିନ୍‌, ବାୟୋ ଟଏଲଟ୍‌, ଟଚ୍‌ ଫ୍ରି ୱାଟର ଟ୍ୟାପ୍‌ ଆଦି ବ୍ୟବସ୍ଥା କରାଯାଇଥିଲା।  ଆରାମଦାୟକ ଯାତ୍ରା ପାଇଁ ଭରପୂର ସୁବିଧାର ବ୍ୟବସ୍ଥା କରାଯିବା ପରେ ଗତ ସୋମବାର ବହୁ ଆଡ଼ମ୍ବରରେ ମୁମ୍ବାଇରୁ ଗୋଆ ପର୍ଯ୍ୟନ୍ତ  ଏହି ଦୂତଗ୍ରାମୀ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା।  ହେଲେ ଟ୍ରେନ୍‌ ଫେରିବା ବେଳକୁ  ଅଧିକାଂଶ ସିଟ୍‌ରେ ହେଡ୍‌ ଫୋନ୍‌ ନଥିଲା। ଅଧିକାଂଶ ସ୍କ୍ରିଂନ୍‌ ଚାଲୁ ନ ଥିଲା। ସେହିପରି ଟଏଲେଟ୍‌ ଗୁଡ଼ିକ ଅପରିଷ୍କାର ଥିବା  ଅଭିଯୋଗ  ହୋଇଛି।

ମଙ୍ଗଳବାର ଗୋଆରୁ ଟ୍ରେନ୍‌ଟି ଯାତ୍ରାର ଆରମ୍ଭ କରିବା ପରେ  ଯାତ୍ରୀମାନେ ଏମିତି ଅବ୍ୟବସ୍ଥାର ଶିକାର ହୋଇଥିବା ଅଭିଯୋଗ ହୋଇଛି।  ସୂଚନା ଅନୁଯାୟୀ ଘଣ୍ଟାକୁ ୨୦୦ କିମି ସ୍ପିଡରେ ଯାତ୍ରା କରୁଥିବା ଏହି ଏକ୍ସପ୍ରେସ୍‌ ଟ୍ରେନ ମୁମ୍ବାଇରୁ  ଗୋଆକୁ ସପ୍ତାହକୁ  ୫ ଦିନ ଚାଲିବା ପାଇଁ ସ୍ଥିର ହୋଇଛି।  ଏଥିରେ ଏସି ଚେୟାର କାର୍‌  ସିଟ୍‌ ପାଇଁ  ଭଡ଼ା ୧୧୯୦ ଟଙ୍କା ଥିବା ବେଳେ  ଏକ୍‌ଜ୍ୟୁକ୍ୟୁଟିଭ୍‌ କାର ସିଟ୍‌ ପାଇଁ ୨୫୯୦ ଟଙ୍କା ଧାର୍ଯ୍ୟ ହୋଇଛି।