ଜମ୍ମୁ କାଶ୍ମୀରରେ ବରଫପାତ: ଶୂନ ଡିଗ୍ରୀରେ ଥରୁଛି ଶ୍ରୀନଗର

ଜମ୍ମୁ: ଜମ୍ମୁ କାଶ୍ମୀରର ବରଫପାତ ଯୋଗୁ ଜନଜୀବନ ବ୍ୟାହତ ହୋଇଛି।  ଏଥିସହ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ସୂଚନା ମିଳିଛି।  ବାଣୀହାଲ ଅଞ୍ଚଳରେ ପ୍ରବଳ ତୁଷାର ପାତ ଯୋଗୁଁ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ପ୍ରଶାସନ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି।   କିନ୍ତୁ ପ୍ରାୟ ଦୁଇମାସର ଶୁଖିଲା ପାଗ ପରେ ବରଫପାତ ହେଉଥିବାରୁ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି। ଏହାଦ୍ୱାରା ପାନୀୟ ଜଳ ସମସ୍ୟା ଅନେକ ପରିମାଣରେ ସମାଧାନ ହୋଇପାରିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ବରଫପାତ ପରେ କାଶ୍ମୀର ଉପତ୍ୟକାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଲୋକମାନେ ଆଶା ରଖିଛନ୍ତି।  ସାରା ରାଜ୍ୟରେ ପାଗ ମେଘୁଆ ରହିଥିବାରୁ ତାପମାତ୍ରା ମଧ୍ୟ ଖସିଛି।  ଶ୍ରୀନଗରରେ ତାପମାତ୍ରା ଶୂନ ଡିଗ୍ରୀ ରହିଥିବା ବେଳେ ପେହେଲଗାରେ ମାଇନସ ୦.୧ ରହିଛି।  ଗୁଲମାର୍ଗରେ ତାପମାତ୍ରା ମାଇନସ ୪.୬ଡିଗ୍ରୀ ରହିଛି।  କାରଗିଲରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ମାଇନସ ୧୪ଡିଗ୍ରୀ ରେକର୍ଡ କରାଯାଇଛି।