ପୁଲ୍‌ୱାମା ପ୍ରତିଶୋଧ ପରେ ସୀମାରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପୁଲ୍‌ୱାମା ଆକ୍ରମଣର ୧୨ ଦିନ ପରେ ଆଜି ଭୋର ୩.୩୦ ପରେ ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଜୈଶ୍‌-ଇ-ମହମ୍ମଦର ଆତଙ୍କୀ କ୍ୟାମ୍ପଗୁଡ଼ିକ ଉପରେ ଯୋଜନାବଦ୍ଧ ଭାବରେ ୧ ହଜାର କେଜି ଓଜନର ବୋମା ବର୍ଷଣ କରାଯାଇଥିବାବେଳେ ଏଥିରେ ୩୦୦ ଆତଙ୍କୀ ନିପାତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଏହି ଘଟଣା ପରେ ଏବେ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ଜଣାଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ବିଏସ୍‌ଫ୍‌ ଯବାନଙ୍କୁ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି। ସେହିଭଳି ପଞ୍ଜାବର ସୀମାବର୍ତ୍ତି ଅଞ୍ଚଳରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ପଟୁ ଯେକୌଣସି ପ୍ରତିକ୍ରିୟା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଥିବା ଜଣାଯାଇଛି।

ଗୁଜରାଟର ଜାମନଗର, ମାଲିୟା, ଅହମ୍ମଦାବାଦ ଏବଂ ଭଦୋଦରାଠାରେ ରହିଥିବା ଏୟାରବେସ୍‌ରେ ଆଲର୍ଟ ଜାରି କରାଯାଇଛି।

ସେପଟେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା କ୍ୟାବିନେଟ୍‌ କମିଟିର ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଯୋଗ ଦେଇଥିଲେ। ଏହା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମୋଦିଙ୍କୁ ଏହି ଆକ୍ରମଣର ପୂରା ସୂଚନା ଦେଇଥିଲେ।

ସେହିଭଳି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ମଧ୍ୟ ଏକ ଜରୁରୀକାଳୀନ ଡାକିଛନ୍ତି। ଏହି ବୈଠକ ଇସଲାମାବାଦଠାରେ ହୋଇଥିବା ଜଣାଯାଇଛି। ପାକିସ୍ତାନ ଯୁଦ୍ଧବିମାନ ଏଫ୍‌୧୬ ମଧ୍ୟ ଏହି ଆକ୍ରମଣକୁ ପ୍ରତିରୋଧ କରିବାକୁ ଆସିଥିଲେ ହେଁ, ଭାରତର ଘନଘନ ଆକ୍ରମଣରେ ପଛଘୁଞ୍ଚା ଦେଇଥିବା ଜଣାଯାଇଛି।