ହାଇପ୍ରୋଫାଇଲ୍ ଦମ୍ପତ୍ତିଙ୍କ ହାଇଟେକ୍ ଛାଡ଼ପତ୍ର: ସ୍କାଇପିରେ ହେଲା ଶୁଣାଣି, ଇତିହାସ ସୃଷ୍ଟି କଲେ ବିଚାରପତି

ପୁଣେ: ଅନ୍‌ଲାଇନ୍‌ରେ ଛାଡ଼ପତ୍ର। ଭରାତୀୟ ଆଇନ୍ ଇତିହାସରେ ପ୍ରଥମ ଘଟଣା। ସ୍କାଇପିରେ ହେଲା ଛାଡପତ୍ର ମାମଲାର ଶୁଣାଣି। ପୁଣେର ଏକ କୋର୍ଟରେ ଭିଡିଓ କଲିଂ ମାଧ୍ୟମରେ ଛାଡ଼ପତ୍ର ମାମଲାର ବିଚାର କରିଛନ୍ତି ବିଚାରପତି।

ଗତ ଶନିବାର ଛାଡ଼ପତ୍ର ମାମଲାର ବିଚାର ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ। ତେବେ ସିଙ୍ଗାପୁରରୁ ଆସି ସ୍ୱାମୀ କୋର୍ଟରେ ହାଜର ହୋଇଥିବା ବେଳେ କୌଣସି କାରଣବଶତଃ ଲଣ୍ଡନରୁ ଆସି ପାରିନଥିଲେ ସ୍ତ୍ରୀ। ତେବେ କୋର୍ଟ କିନ୍ତୁ ପ୍ରଥମ ଥର ପାଇଁ ନିଆରା ଉପାୟରେ ମାମଲାର ବିଚାର କରିଥିଲେ। ସଂପୃକ୍ତ ମହିଳାଙ୍କୁ ଲଣ୍ଡନରେ ରହି ସ୍କାଇପି ଜରିଆରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦେଇଥିଲେ।

ଏହି ଦମ୍ପତ୍ତି ଗଲା ଅଗଷ୍ଟ ମାସରେ ଆପୋଷ ବୁଝାମଣାରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ହିନ୍ଦୁ ବିବାହ ଆଇନ୍ ୧୯୫୫ର ସେକ୍ସନ୍ ୧୩(ବି) ଆଧାରରେ ଛାଡପତ୍ର ମାମଲାର ସମାଧାନ ପାଇଁ ଆବେଦନ କରାଯାଇଥିଲା। ତେବେ ସ୍ତ୍ରୀ ଅନୁପସ୍ଥିତ ରହିବାରୁ କୋର୍ଟ ବାଧ୍ୟ ହୋଇ ଏଭଳି  ପଦକ୍ଷେପ ନେଇଥିଲେ।

କାହିଁକି ଭାଙ୍ଗିଗଲା ସଂପର୍କ ?

ଆଇନ୍‌କୁ ସାକ୍ଷୀ ରଖି ସଂପର୍କ ଓ ସଂସାରକୁ ଭାଙ୍ଗି ଦେଇଥିବା ଏହି ଦମ୍ପତ୍ତି ସମାନ କଲେଜରେ ପଢୁଥିଲେ। ଏହି ସମୟରେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ୨୦୧୫ରେ ଦୁହେଁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବା ସହ ସଂସାର ଆରମ୍ଭ କରିଥିଲେ।

କିଛିଦିନ ଠିକ୍‌ଠାକ୍ ଚାଲିଲା ସଂସାରର ଗାଡି। ଦୁହେଁ ଭିନ୍ନ ଭିନ୍ନ କଂପାନୀରେ ଚାକିରି କରୁଥିଲେ। ମାତ୍ର କିଛି ମାସ ଯାଇନି। ସ୍ୱାମୀଙ୍କୁ ମିଳିଲା ବିଦେଶ ଟିକେଟ୍। ସିଙ୍ଗ।ପୁରର ଏକ କଂପାନୀରେ ମୋଟା ଅଙ୍କର ଦରମାର ପ୍ରତିଶୃତି। ସେପଟେ ସ୍ତ୍ରୀ ମଧ୍ୟ ଲଣ୍ଡନରେ ଚାକିରୀ କରିବାର ଅଫର୍ ପାଇଲେ। ସଂପର୍କରେ ଆଗରେ ଛିଡ଼ା ହେଲା କ୍ୟାରିୟର।

ଶେଷରେ କ୍ୟାରିୟରକୁ ଗୁରୁତ୍ୱ ଦେଇ ନୂଆ କରି ଗଢ଼ିଥିବା ସଂସାରକୁ ଭାଙ୍ଗି ଦେବାକୁ ନିଷ୍ପତି ନେଇ ଦମ୍ପତ୍ତି। ଆଉ ଦୁହିଁଙ୍କ ସମ୍ମତିରେ ଲେଖା ହେଲା ଛାଡପତ୍ର।