ହିଟ୍ ଆଣ୍ଡ୍ ରନ୍ ମାମଲା: ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ୨୦୦୨ ହିଟ୍ ଆଣ୍ଡ୍ ରନ୍ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ ମହାରାଷ୍ଟ୍ର ସରକାର। ବୁଧବାର ବମ୍ବେ ହାଇକୋର୍ଟଙ୍କୁ ଏକଥା କହିଛନ୍ତି ମହାରାଷ୍ଟ୍ର ସରକାର। ଡିସେମ୍ବର ୧୦ରେ ବମ୍ବେ ହାଇକୋର୍ଟ ହିଟ୍ ଆଣ୍ଡ୍ ରନ୍ ମାମଲାରେ ସଲମାନ ଖାଁଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ।

ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ କହିଥିଲେ ଯେ ସଲମାନ ଖାଁ ନିର୍ଦ୍ଦୋଷ ଘୋଷଣା ନେଇ ବମ୍ବେ ହାଇକୋର୍ଟଙ୍କ ରାୟକୁ ତର୍ଜମା କରାଯାଉଛି। ତା’ପରେ ଯାଇ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯିବା କି ନାହିଁ ସେ ନେଇ ବିଚାର କରାଯିବ।

ହିଟ୍ ଆଣ୍ଡ୍ ରନ୍ ମାମଲାରେ ବମ୍ବେ ହାଇକୋର୍ଟ ସଲମାନ ଖାଁଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିବା ସହିତ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ। ପ୍ରତିପକ୍ଷ ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକ ପ୍ରମାଣିତ କରିବା ପାଇଁ ଯଥେଷ୍ଟ୍ ପ୍ରମାଣ ଦେଖାଇ ପାରି ନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ।

୨୦୦୨ ସେପ୍ଟେମ୍ବର ୨୮ ତାରିଖରେ ବମ୍ବେର ବାନ୍ଦ୍ରାରେ ସଲମାନଙ୍କ ଗାଡ଼ି ମାଡ଼ି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଥିଲେ। ଏମାନେ ରାସ୍ତାକଡ଼ରେ ଶୋଇଥିଲେ। ସଲମାନ ମଦ ପିଇ ନିଜେ ଗାଡ଼ି ଚଲାଉଥିଲେ ବୋଲି ଅଭିଯୋଗ ହୋଇଥିଲା।