ହିଟ୍ ଆଣ୍ଡ୍ ରନ ମାମଲା: ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଯିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ହିଟ୍ ଆଣ୍ଡ୍ ରନ ମାମଲାରେ ସଲମାନ ଖାନଙ୍କୁ ମୁକ୍ତ କରାଯିବା ବିରୋଧରେ ମହାରାଷ୍ଟ୍ର ସରକାର ‌ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିପାରନ୍ତି। ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ପୂର୍ବରୁ ରାଜ୍ୟ ସରକାର କହିଥିଲେ।

ମହାରାଷ୍ଟ୍ର ସରକାରଙ୍କ ଆଇନ ବିଭାଗର ଜଣେ ଅଧିକାରୀ କହିଛନ୍ତି,  ହିଟ୍ ଆଣ୍ଡ୍ ରନ ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିବା ପାଇଁ ସରକାରୀ ଓକିଲମାନଙ୍କୁ  ନିର୍ଦ୍ଦେଶ ଜାରି କରାଯାଇଛି। ଗୋଟିଏ ସପ୍ତାହ ମଧ୍ୟରେ ଏହି ପିଟିସନ ଦାଖଲ କରାଯିବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ୍ ପୂର୍ବରୁ ଘୋଷଣା କରିଥିଲେ ଯେ ଏହି ମାମଲାରେ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବେ।ଆଇନ ଅନୁଯାୟୀ, ହାଇକୋର୍ଟଙ୍କ ରାୟ  ଆସିବାର ୯୦ ଦିନ ମଧ୍ୟରେ ଏହା ବିରୋଧରେ  ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ କରାଯାଇପାରିବ।

ସୂଚନାଯୋଗ୍ୟ, ୨୦୦୨ ହିଟ୍ ଆଣ୍ଡ ରନ ମାମଲାରେ ବମ୍ୱେ ହାଇକୋର୍ଟ ସଲମାନଙ୍କୁ ଦୋଷମୁକ୍ତ କରିଥିଲେ। ଏଥିସହ ମାମଲାରେ ପୂର୍ବରୁ ମୁମ୍ୱାଇର ସେସନ୍ କୋର୍ଟ ଦେଇଥିବା ୫ବର୍ଷର ଦଣ୍ଡାଦେଶକୁ ଖାରଜ କରି ଦେଇଥିଲେ। ପ୍ରତିପକ୍ଷ ଓକିଲ ସଲମାନଙ୍କ ଦୋଷ ପ୍ରମାଣ କରିବାରେ ବିଫଳ ହୋଇଥିବା ହାଇକୋର୍ଟ ତାଙ୍କ ରାୟରେ କହିବା ସହ ତାଙ୍କ ପାସପୋର୍ଟକୁ ଫେରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

୨୦୦୨ ସେପ୍ଟମ୍ୱରରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ଦୁର୍ଘଟଣା। ରାତିରେ ଫୁଟଫ।ଥରେ ଶୋଇଥିବା ଅବସ୍ଥାରେ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା ସଲମାନଙ୍କ ଲ୍ୟାଣ୍ଡ କ୍ରୁଜର କାର୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୪ଜଣ ଆହତ ହୋଇଥିଲେ।