ଜମ୍ମୁ କାଶ୍ମୀରରୁ ହଜ୍ଜିବୁଲ ମୁଜ୍ଜାହିଦ୍ଦିନ୍‌ ଆତଙ୍କୀ ଗିରଫ

ଶ୍ରୀନଗର:  କେନ୍ଦ୍ରୀୟ କାଶ୍ମୀରର ବୁଦଗାଁ ଜିଲ୍ଲା ଛେଲିଲୋରା ଗାଁରୁ ହଜ୍ଜିବୁଲ ମୁଜ୍ଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କୀଙ୍କୁ ଶନିବାର ଗିରଫ କରାଯାଇଛି । ଗିରଫ ଆତଙ୍କୀ ହେଲେ ଇଶଫାକ୍‌ ଅହମ୍ମଦ ୱାନି ଓରଫ୍ ମୋଲଭି। ତା’ ନିକଟରୁ ଏକ ଏକେ ରାଇଫଲ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଆଜି ସକାଳୁ ପୋଲିସ ପକ୍ଷରୁ ମଗମ୍ ଅଞ୍ଚଳର ଛେଲିଲୋରା ଗାଁରେ ସର୍ଚ୍ଚ ଅପରେସନ୍‌ ବେଳେ ଲୁଚି ରହିଥିବା ମୋଲଭିଙ୍କୁ ଗିରଫ କରାଯାଇଥିଲା। ସମ୍ପୃକ୍ତ ଆତଙ୍କୀ ପାଖରୁ ଅଧିକ ତଥ୍ୟ ପାଇଁ ପଚରାଉଚୁରା ଜାରି ରହିଛି।

ଉକ୍ତ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ଖବର ପାଇଁ ପୋଲିସ ଗତକାଲି ରାତିରୁ ଅପରେସନ ଆରମ୍ଭ କରିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।