୧୪ ସନ୍ଦିଗ୍ଧ ଆତଙ୍କବାଦୀ ଘରେ ଏନଆଇଏର ରେଡ୍‌

ଚେନ୍ନାଇ: ଗତ ବୁଧବାର ଦିଲ୍ଲୀରୁ ଗିରଫ ହୋଇଥିବା ୧୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଘରେ ଆଜି ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ରେଡ୍ କରାଯାଇଛି। ତାମିଲନାଡୁର ଚେନ୍ନାଇ, ମଦୁରାଇ, ଥାନେ, ତିରୁନେଲଭେଲି ଏବଂ ରମନଥପୁରମରେ ଆଜି ଏହି ରେଡ୍ ହୋଇଛି।

ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ନିମନ୍ତେ ବିଦେଶରୁ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗରେ ବୁଧବାର ଦିନ ଏହି ୧୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଏନଆଇଏ।

ଏହି ୧୪ ଜଣ ଆତଙ୍କବାଦୀ ସଂଗଠନ ଅଲ-କଏଦା ଏବଂ ୟେମେନର ଏକ ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗରେ ଥିଲେ। ଏଥିସହ ସେମାନେ ଓ୍ୱାହାଦତ-ଏ-ଇସଲାମ୍, ଜାମାତ୍ ଓ୍ୱାହେଦାତ-ଏ-ଇସଲାମ ଭଳି ଭିନ୍ନ ଭିନ୍ନ ସଂଗଠନ ନାଁରେ ୟୁଏଇରୁ ପାଣ୍ଠି ସଂଗ୍ରହ କରୁଥିଲେ।

ୟୁଏଇ ସରକାର ଏହି ୧୪ ଜଣଙ୍କୁ ଭାରତ ପଠାଇବା ପୂର୍ବରୁ ୬ ମାସ ପାଇଁ ଗିରଫ କରି ରଖିଥିଲା। ଗତ ସୋମବାର ଦିନ ଏନଆଇଏ ଏମାନଙ୍କ ବାବଦରେ ଜାଣିବା ପରେ ଦିଲ୍ଲୀ ଏୟାରପୋର୍ଟରୁ ଏମାନଙ୍କୁ ଗିରଫ କରିଥିଲା। ଏହାପରେ ୧୪ ସନ୍ଦିଗ୍ଧକୁ ଚେନ୍ନାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ୨୬ ଯାଏ ସମସ୍ତଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ଏହି ୧୪ ସନ୍ଦିଗ୍ଧ ୟୁଏଇରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁବାଇରେ ରହୁଥିଲା। ସେମାନଙ୍କୁ ପଚରାଉଚରା କରାଯିବା ପରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତାମିଲନାଡୁ ନାଗାପଟ୍ଟିନମର ହରିଶ ମହମ୍ମଦ ଏବଂ ହାସନ ଅଲ୍ଲୀ। ଏହି ଦୁଇ ଜଣ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ପାଇଁ କାମ କରୁଥିବାର ପ୍ରମାଣ ମିଳିଛି।