ଲୋମଟାଙ୍କୁରା କଏଦୀ କାହାଣୀ: ଅନ୍ଧାର ଘରେ ୧୧ ଦିନ, ଅନିଦ୍ରା ରହିବାକୁ ଦିଆଯାଉଥିଲା ଗ୍ୟାସ୍, ନିଜେ ଖାଉଥିଲେ ନିଜର ମାଂସ

କିଛି ନୂଆ ଆବିଷ୍କାର ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିଥାନ୍ତି। କିଛି ଫିଲ୍ମରେ ମଧ୍ୟ ଏପରି ଦେଖିବାକୁ ମିଳିଥାଏ।  ବେଳେବେଳେ ଏପରି କିଛି ଭୟଙ୍କର ପରୀକ୍ଷା କରାଯାଇଥାଏ ଯାହା ସଭ୍ୟ ସମାଜରେ କେବେ ଗ୍ରହଣୀୟ ନୁହେଁ। ଅତି ଗୁପ୍ତ ଭାବେ ହୋଇଥାଏ ଏହି ପରୀକ୍ଷା। କିଛି ସଫଳ ହେଉଥିବା ବେଳେ ଆଉ କିଛି ଓଲଟା ଫଳ ଦେଇଥାଏ। ଆମେ ଆଜି ଯେଉଁ ପରୀକ୍ଷା କଥା କହିବାକୁ ଯାଉଛି, ତାକୁ ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ ଓ ପାଦ ତଳୁ ମାଟି ଖସିଯିବା ଭଳି ଲାଗିବ।

ପଢ଼ନ୍ତୁ ୧୯୪୦ ଦଶକରେ ୫ ଜଣ କଏଦୀଙ୍କୁ ନେଇ ରୁଷରେ ହୋଇଥିବା ଏକ ଅମାନବୀୟ ପରୀକ୍ଷା ସମ୍ପର୍କରେ। ୩୦ ଦିନ ନ ଶୋଇବା ପାଇଁ ଏହି କଏଦୀଙ୍କୁ ରାଜି କରାଯାଇ ପରୀକ୍ଷାରେ ସାମିଲ କରାଯାଇଥିଲା। କଥା ଦିଆଯାଇଥିଲା ପରୀକ୍ଷା ସରିବା ପରେ ସେମାନଙ୍କୁ ମୁକ୍ତ କରି ଦିଆଯିବ। ପରୀକ୍ଷା ମୁତାବକ ସେମାନଙ୍କୁ ଏକ ବନ୍ଦ ଘରେ ରଖାଯାଇଥିଲା। ନ ଶୋଇବା ପାଇଁ ପ୍ରତିଦିନ ଘର ଭିତରକୁ ଗ୍ୟାସ୍‌ ଛଡା ଯାଉଥିଲା।

ପ୍ରଥମ ୧୦ ଦିନ ସବୁ ଠିକ୍‌ ଠାକ୍‌ ଥିଲା। ହେଲେ ୧୧ତମ ଦିନରୁ ସ୍ଥିତି ବିଗିଡିବାକୁ ଲାଗିଲା। କଏଦୀମାନେ ଆତଙ୍କିତ ହେବା ଆରମ୍ଭ କରିଥିଲେ। ପରସ୍ପର ଭିତରେ ଭୟାର୍ତ୍ତ ବାର୍ତ୍ତାଳାପ କରିଥିଲେ। ଏହାର କିଛିଦିନ ପରେ ସେମାନେ କଥା ହେବା ମଧ୍ୟ ବନ୍ଦ କରିଦେଲେ। ହଠାତ୍‌ ଜଣେ କଏଦୀ ଚିତ୍କାର କରିବା ସହ ପୂରା ୩ ଘଣ୍ଟା ଘର ଭିତରେ ଦୌଡିବା ଆରମ୍ଭ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା କଏଦୀ ଜଣଙ୍କ ଏପରି କରୁଥିବା ବେଳେ ଅନ୍ୟ ୪ ଜଣ କୌଣସି ପ୍ରତିକ୍ରିୟା ଦେଖାଇ ନ ଥିଲେ। ଅର୍ଥାତ୍ ସେମାନେ ଏକପ୍ରକାର ସ୍ଥାଣୁ ପାଲଟି ଯାଇଥିଲେ।

ଏହା ଦେଖି ବୈଜ୍ଞାନିକଙ୍କୁ ଏହି ପରୀକ୍ଷା ଅଧାରୁ ବନ୍ଦ  କରିବାକୁ ପଡିଥିଲା। କଏଦୀମାନେ ଅନିଦ୍ରା ରହିବାକୁ ପ୍ରୟୋଗ କରାଯାଉଥିବା ଗ୍ୟାସ୍‌ ବନ୍ଦ କରି ଦିଆଗଲା। ସେମାନଙ୍କୁ ବନ୍ଦ କୋଠରୀରୁ ବାହାରକୁ ଅଣାଗଲା । ଅବସ୍ଥା ଏତେ ଗୁରୁତର ଥିଲା ଯେ, ଉଦ୍ଧାର ସମୟରେ ହିଁ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ଅନ୍ୟମାନଙ୍କ ମୁହଁରୁ ଯେତେବେଳେ ମୁଖା ବାହାର କରାଗଲା ସମସ୍ତେ ଭୟରେ ଶିହରି ଉଠିଥିଲେ। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଂସ ନଥିଲା। ଏହାକୁ ସେମାନେ ନିଜେ ଖାଇ ଯାଇଥିଲେ। ମୁହଁ ଏପରି ଖରାପ ହୋଇ ଯାଇଥିଲା ଯେ, ହଲିଉଡ୍‌ର ‘ମମି’ ଫିଲ୍ମ ଭୂତ ପରି ଚେହେରା ହୋଇଯାଇଥିଲା। ସେମାନଙ୍କ ଏପରି ଅବସ୍ଥା ଦେଖି ଜେଲ୍‌ର କଏଦୀମାନେ ମଧ୍ୟ ସେମାନଙ୍କୁ ଛୁଇଁବାକୁ ସାହସ କରି ନ ଥିଲେ।