ବିନା ଛୁଟିରେ କାମ କରୁଛନ୍ତି ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଶୋଇବା ପୂର୍ବରୁ କେମିତି କଟେ ଦିନ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ସବୁବେଳେ କିଛି ନା କିଛି ରୋଚକ କଥା ଶୁଣିବାକୁ ମିଳିଥାଏ। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମୋଦିଙ୍କ ବହୁତ କ୍ରେଜ୍‌। ମୋଦିଙ୍କ ବିଷୟରେ ଜାଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ, ବିଶ୍ୱ ଦରବାରରେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପହଞ୍ଚାଇ ପାରିଥିବା ଆମ ପ୍ରଧାନମନ୍ତ୍ରୀ ବିନା ଛୁଟିରେ କାମ କରିଥାନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ହେଉ କି ଏବେ, ମୋଦି କେବେ ଛୁଟି ନେଇନାହାଁନ୍ତି।

ଆସନ୍ତା ୧୧ ତାରିଖରେ ମୋଦି ୟୁଏଇ ଗସ୍ତରେ ଯିବେ। ଦୁବାଇରେ ହେବାକୁ ଥିବା ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସିମେଟ୍‌ରେ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଗଲ୍ଫ ନ୍ୟୁଜ୍‌କୁ ମୋଦି ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ତାଙ୍କ ଦୈନନ୍ଦୀନ ଜୀବନ ଶୈଳୀ ବିଷୟରେ ଖୋଲିକି କଥା ହୋଇଛନ୍ତି। ଆସନ୍ତୁ ଜାଣିବା ଏହି ସାକ୍ଷାତକାରରେ କ’ଣ କହିଛନ୍ତି ମୋଦି।

ପ୍ରଶ୍ନ: ଆପଣ କେବେ ଛୁଟି ନେଇଛନ୍ତି ?

ଉତ୍ତର: ମୁଖ୍ୟମନ୍ତ୍ରୀ ଥିବାବେଳେ ହେଉ କି ଏବେ, ମୁଁ କେବେ ଛୁଟି ନେଇନାହିଁ। ମୋ କାମ ଏମିତି ଯେ, ଭାରତର ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପଡ଼ୁଛି ଓ ଲୋକଙ୍କ ସୁଖ, ଦୁଃଖ ଓ ଆଶା ଜାଣିବାକୁ ସୁଯୋଗ ମିଳୁଛି। ୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୁଁ ଭାରତର ପ୍ରତ୍ୟେକ ଜିଲ୍ଲା ଗସ୍ତ କରିଥିଲି। ଏହା ମୋ ପାଇଁ ବହୁମୂଲ୍ୟ ଅନୁଭୋବ। ଏଥିରୁ ମୁଁ ଭାରତର ବିବିଦ୍ଧତା ସମ୍ପର୍କରେ ବହୁତ କିଛି ଜାଣିବାକୁ ପାଇଥିଲି।

ପ୍ରଶ୍ନ: ବିଦେଶ ଗସ୍ତ ବେଳେ ସାଙ୍ଗରେ ଖାଇବାକୁ ନିଅନ୍ତି କି ?

ଉତ୍ତର: ନା, ଏମିତି ନୁହେଁ। ମୁଁ ବିଦେଶ ଗସ୍ତ ବେଳେ ସାଙ୍ଗରେ କିଛି ଖାଇବା ଜିନିଷ ନେଇ ନଥାଏ। ବନ୍ଧୁ ରାଷ୍ଟ୍ର ପକ୍ଷରୁ ମୋ ପାଇଁ ଯାହା ବି ପ୍ରସ୍ତୁତ କରାଯାଇଥାଏ, ମୁଁ ଖୁସି ଖୁସି ଖାଇଦେଇଥାଏ।

ପ୍ରଶ୍ନ: ଆପଣ ଦିନକୁ କେତେ ଘଣ୍ଟା ଶୋଇଥାନ୍ତି ?

ଉତ୍ତର: ମୁଁ ୪ରୁ ୬ ଘଣ୍ଟା ଶୋଇଥାଏ। କାମକୁ ଦେଖି ଏହା କମିଥାଏ। ହେଲେ ରାତିରେ ବିଛଣାକୁ ଯିବା ପରେ ଶୋଇଯାଇଥାଏ। ଶୋଇବା ବେଳେ ମୁଁ ସବୁ ଚିନ୍ତା ଛାଡି ଦେଇଥାଏ। ପ୍ରତିଦିନ ସକାଳେ ଉଠି ନୂଆ ଦିନକୁ ସ୍ୱାଗତ କରିଥାଏ।

ପ୍ରଶ୍ନ: ଉଠିବା ପରେ ପ୍ରଥମେ ଓ ଶୋଇବା ପୂର୍ବରୁ ଶେଷରେ କ’ଣ କରନ୍ତି ?

ଉତ୍ତର: ମୋ ଶୋଇବା ଆରମ୍ଭ ଯୋଗରୁ ହୋଇଥାଏ। ମୁଁ ବିଶ୍ୱାସ କରେ ଯୋଗ ଶରୀର ପାଇଁ ଓ ମାନସିକ ଶାନ୍ତି ପାଇଁ ବହୁତ ଉପକାରୀ। ପ୍ରତିଦିନ ସକାଳେ ଉଠିବା ପରେ ମୁଁ ପ୍ରଥମେ ନ୍ୟୁଜ୍‌ପେପର ପଢ଼ିଥାଏ। ଏହାପରେ ଇ-ମେଲ୍‌ ଚେକ୍‌ କରେ। ପରେ କିଛି ଜରୁରୀ ଫୋନ୍‌ କରେ। ଏହାପାରେ ନରେନ୍ଦ୍ର ମୋଦି ଆପ୍‌ରେ ଲୋକେ ପଠାଥିବା ମେସେଜ୍‌ ଦେଖିଥାଏ।

ଶୋଇବା ପୂର୍ବରୁ ଦିନସାରା ଆସିଥିବା କାଗଜପତ୍ର ଦେଖେ ଓ ପରଦିନ ମିଟିଂ ଏବଂ କାର୍ଯ୍ୟକ୍ରମର ପ୍ରସ୍ତୁତି କରେ।

ପ୍ରଶ୍ନ: ଆପଣ କ’ଣ ଖାଇବାକୁ ପସନ୍ଦ କରନ୍ତି ? ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ଡିନରରେ କ’ଣ ଖାଇଥାନ୍ତି ?

ଉତ୍ତର: ମୁଁ ଖାଇବାକୁ ନେଇ ଏତେ ଚିନ୍ତା କରେ ନାହିଁ। ମୁଁ ପ୍ରତିଦିନ ସାଧାରଣ ନିରାମିଷ ଖାଦ୍ୟ ଖାଇବାକୁ ଭଲ ପାଇଥାଏ।

ପ୍ରଶ୍ନ: ସପ୍ତାହର କେଉଁ ଦିନଟି ଆପଣଙ୍କର ପସନ୍ଦ ଓ କାହିଁକି ?

ଉତ୍ତର: ଟୁ ଡେ’। ଅର୍ଥାତ ଆଜି ହିଁ ମୋର ପସନ୍ଦର ଦିନ। ମୁଁ ବର୍ତ୍ତମାନରେ ଜିଉଁଥିବା ଲୋକ। କେବଳ ଆଜିର ଦିନଟି ଆମ ସହ ଥାଏ। ଏହିଦିନ ବହୁତ ପରିଶ୍ରମ କରି ନିଜ ଆଶା ପୂରଣ କରିପାରିବା।

ପ୍ରଶ୍ନ: ସେ କେଉଁ ବ୍ୟକ୍ତିତ୍ୱ, ଯାହାଙ୍କ ପାଖରୁ ଆପଣ ସବୁଠୁ ଅଧିକ ପ୍ରେରଣା ପାଇଛନ୍ତି ?

ଉତ୍ତର: ବହୁତ ଲୋକଙ୍କ ପାଖରୁ ମୁଁ ପ୍ରେରଣା ପାଇଛି। ପିଲାଦିନେ ମୋତେ ସ୍ୱାମୀ ବିବେକାନନ୍ଦଙ୍କ ପାଖରୁ ପ୍ରେରଣା ମିଳିଥିଲା। ଏହାସହ ମହାତ୍ମା ଗାନ୍ଧି ମଧ୍ୟ ମୋତେ ଅନୁପ୍ରାଣିତ କରିଥିଲେ। ଗରିବଙ୍କ ପ୍ରତି ତାଙ୍କର ଉଦାରତା ହେଉ ଅବା ଶାନ୍ତି ଓ ଅହିଂସା ସହ ସ୍ୱତନ୍ତ୍ରତା ଆନ୍ଦୋଳନରେ ସମସ୍ତଙ୍କୁ ଯୋଡ଼ି ଦେବା। ନିଶ୍ଚିତ ଭାବେ ଏହା ଆପଣଙ୍କୁ ମଧ୍ୟ ଅନୁପ୍ରାଣିତ କରିବ।

ଏହାସହ ସରଦାର ବଲ୍ଲଭ ଭାଇ ପଟେଲ, ଡ. ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ମଧ୍ୟ ମୁଁ ଅନୁପ୍ରାଣିତ ହୋଇଛି।

ପ୍ରଶ୍ନ: ନିଜ ସମ୍ପର୍କରେ ଆପଣ ଟେକ୍ନୋଲଜିକୁ କେତେ ବ୍ୟବହାର କରନ୍ତି ?

ଉତ୍ତର: ଟେକ୍ନୋଲଜିରେ ମୁଁ ବହୁତ ବିଶ୍ୱାସ କରେ। ଏହା ଲୋକଙ୍କୁ ଶକ୍ତି ଦେଇଥାଏ। ଟେକ୍ନୋଲଜି ଲୋକଙ୍କୁ ଯୋଡ଼ିବାର ଏକ ମାଧ୍ୟମ ଓ ଏହା ସେମାନଙ୍କ ମହତ୍ୱାକାଂକ୍ଷାକୁ ଦର୍ଶାଇଥାଏ। ମୁଁ ନିଜେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହେ। ଫେସ୍‌ବୁକ୍‌, ଟ୍ୱିଟର, ଲିଙ୍କେଡଇନ୍‌, ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ୍‌ ପରି ମାଧ୍ୟମରେ ମୁଁ ସକ୍ରିୟ ରହିଥାଏ।