ନେଟ ନ ଥିଲେ ଚିନ୍ତା ନାହିଁ, ଗାଁରେ ବି ହୋଇପାରିବ ରେଳ ଟିକେଟ ବୁକିଂ, ସରକାର କରୁଛନ୍ତି ଏହି ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତର ଅନେକ ସ୍ଥାନରେ ରେଳ ଟିକେଟ୍‌ ବୁକିଂ କରିବା ଏବେବି ଏକ ସମସ୍ୟା ହୋଇ ରହିଛି। ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ସମସ୍ୟା ଅଧିକ ରହିଛି। ଟିକେଟ୍‌ ବୁକିଂ କରିବା ପାଇଁ ଲୋକେ ଗାଁରୁ କୋଷ କୋଷ ବାଟ ଅତିକ୍ରମ କରି ଷ୍ଟେସନ ପର୍ଯ୍ୟନ୍ତ ଆସୁଛନ୍ତି। ସେଥିରେ ବି ନିରାଶ ହେବାକୁ ପଡ଼ୁଛି।

ଡିଜିଟାଲ୍‌କରଣ ହେବା ପରେ ମଧ୍ୟ ଏଭଳି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇପାରି ନାହିଁ। କାରଣ ଏବେବି ଭାରତର ଅନେକ ଲୋକ ଇଣ୍ଟରନେଟ୍‌ରୁ ବଞ୍ଚିତ ଅଛନ୍ତି। ସେମାନେ ଟିକେଟ ବୁଂକି କରିବା ପାଇଁ ପାରମ୍ପରିକ ରାସ୍ତା ଆପଣାଉଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳରେ ସିଏସ୍‌ସି(କମନ ସର୍ଭିସ ସେଣ୍ଟର) ଖୋଲାଯିବା ନେଇ ବ୍ୟବସ୍ଥା କରାଯିବ। ଏଠାରେ ଡିଜିଟାଲ ମାଧ୍ୟମରେ ରେଳ ଟିକେଟ୍‌ ବୁକିଂ କରିବା ସହିତ ଅନ୍ୟାନ୍ୟ ସରକାରୀ ସେବା ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳରେ ଟିକେଟ ବୁକିଂ କରିବାର ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଓ ଆଇଟି ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଫଳରେ ଆସନ୍ତା କିଛି ମାସ ମଧ୍ୟରେ ସିଏସ୍‌ସିରେ ରେଳ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯିବ। ଏହି ଅବସରରେ ରେଳମନ୍ତ୍ରୀ ପିୟୁସ ଗୋୟଲ କହିଛନ୍ତି ଯେ, ୨.୯ ଲକ୍ଷ ସିଏସ୍‌ସି ସେଣ୍ଟରକୁ ଟେକ୍ନୋଲୋଜି ସାହାଯ୍ୟରେ ରେଳ ଟିକେଟ ବୁକିଂ କରିବାର ସୁବିଧା କରାଯିବ। ବର୍ତ୍ତମାନ ୪୦ ହଜାର ସିଏସସି ସେଣ୍ଟର ଟେକ୍ନୋଲୋଜି ସହିତ ଯୋଗାଯୋଗ ରହିଛି। ଆଗାମୀ ୮-୯ ମାସ ମଧ୍ୟରେ ସମସ୍ତ ସିଏସ୍‌ସି ସେଣ୍ଟରରେ ଟିକେଟ ବୁକିଂ ବ୍ୟବସ୍ଥା କରାଯିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

IRCTC ଏବଂ CSC  ଇଣ୍ଡିଆ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରକାଶ ଥାଉକି,  CSC  ଇଣ୍ଡିଆ ଦେଶର ଗ୍ରାମାଞ୍ଚଳରେ ସିଏସ୍‌ସି ସେଣ୍ଟର ଖୋଲି ସମସ୍ତ ସରକାରୀ ସେବା ଯୋଗାଇ ଦେଉଛି।