ଫେରାର ହନିପ୍ରୀତକୁ ଧରିବାକୁ ଗଠନ ହେଲା ଏସ୍‌ଆଇଟି: ସେପଟେ ଡେରା ଆଶ୍ରମରୁ ମିଳିଲା ଅନେକ ଅତ୍ୟାଧୁନିକ ରାଇଫଲ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଡେରା ମୁଖ୍ୟ ରାମ ରହିମଙ୍କ ତଥାକଥିତ ପୋଷ୍ୟା କନ୍ୟା ହନିପ୍ରୀତ ସିଂଙ୍କୁ ଧରିବା ପାଇଁ ପଂଚକୁଲା ପୋଲିସ ଏସ୍‌ଆଇଟି ଗଠନ କରିଛି । ପୂର୍ବରୁ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ସେ କେମିତି ଦେଶ ଛାଡ଼ି ନ ଯାଆନ୍ତି, ସେଥିପାଇଁ ବିମାନବନ୍ଦର ଓ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ହିଂସା ପାଇଁ ଉସକାଇବା ଏବଂ ରାମ ରହିମଙ୍କ କୋର୍ଟରେ ପୋଲିସ ହେପାଜତରୁ ଖସାଇ ନେବା ଉଦ୍ୟମ ଅଭିଯୋଗରେ ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ ହୋଇଛି। ରାମ ରହିମଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ହିଂସାକାଣ୍ଡ ଘଟି ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।

ଅନ୍ୟପଟେ ହରିୟାଣା ସିର୍ସାରେ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଆଶ୍ରମରୁ ବହୁ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ମିଳିଛି। ମିଳିଥିବା ବନ୍ଧୁକ ଗୁଡିକ ଲାଇସେନ୍ସପ୍ରାପ୍ତ ବୋଲି ଜଣାପଡିଛି। ଏହାସହ ଅତ୍ୟାଧୁନିକ ରାଇଫଲ ମଧ୍ୟ ଏଠାରୁ ମିଳିଛି। ଡେରାର ମୁଖ୍ୟ ରାମ ରହିମଙ୍କୁ ଜେଲ୍ ହେବା ପରେ ବନ୍ଧୁକ ଫେରାଇବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଡେରା ଆଶ୍ରମରେ ୯୦ରୁ ଅଧିକ ଏପରି ଅତ୍ୟାଧୁନିକ ବନ୍ଧୁକ, ରାଇଫଲ ଓ ପିସ୍ତଲ ଥିଲା। ସେଥି ମଧ୍ୟରୁ ପ୍ରାୟ ୬୦ଟି ବନ୍ଧୁକ ପୋଲିସ ପାଖରେ ଜମା କରିଛନ୍ତି ଆଶ୍ରମ କର୍ତ୍ତୃପକ୍ଷ। ଯାହା ଯାହା ନାଁରେ ବନ୍ଧୁକ ଅଛି ଓ ସେମାନେ ଜମା କରିନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି ପୋଲିସ।