ସମୁଦ୍ର ପାଣିରେ ହ୍ୟୁମାନ ଚେନ୍, ବଞ୍ଚିଗଲା ୯ଟି ଜୀବନ

କୁହାଯାଏ ବୁଡି ଯାଉଥିବା ଲୋକକୁ କୁଟା ଖିଅ ବି ସାହାରା । କିନ୍ତୁ ନିକଟରେ ଏପରି ଘଟଣା ଘଟିଛି, ଯାହା ଶୁଣିଲେ ଆପଣ କହିବେ, ବୁଡି ଯାଉଥିବା ଲୋକକୁ କୁଟାଖିଅ ନୁହଁ ବରଂ ଚେନ୍‌ର ସାହାରା ଦରକାର ।

ଅନେକ ବେଳେ ଦେଖାଯାଏ, ବୁଡ଼ି ଯାଉଥିବା ଲୋକକୁ ବଂଚେଇବାକୁ କୂଳରେ ଠିଆ ହୋଇଥିବା ଲୋକେ ଆଗଭର ହୁଅନ୍ତି ନାହିଁ କେବଳ ହୋହଲ୍ଲା କରିଥାନ୍ତି । ଆଉ କେତେକ ସାହାଯ୍ୟ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ବି ପହଁରା ଜାଣି ନଥିବାରୁ ପାଣିକୁ ଡେଇଁବାକୁ ଡରିଥାନ୍ତି । କିନ୍ତୁ ଫ୍ଲୋରିଡାରେ କିଛି ଲୋକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କେମିତି ଜଣେ ବୁଡ଼ି ଯାଉଥିବା ଲୋକକୁ ସାହାଯ୍ୟ କଲେ ପଢ଼ନ୍ତୁ ।

ଫ୍ଲୋରିଡାର ସମୁଦ୍ର କୂଳିଆ ସହର ପାନାମା ସମୁଦ୍ର କୂଳରେ କିଛି ଲୋକ ମଜା ମସ୍ତିରେ ମାତିଥିଲେ । ଏହି ସମୟରେ କିଛି ଲୋକ ଚିଲ୍ଲେଇବାର ଶବ୍ଦ ଶୁଣିବାକୁ ମିଳିଥିଲା । ଅନ୍ୟ ଲୋକ ଭାବିଲେ ଯେ, ହୁଏତ ମଉଜରେ କିଏ ପାଟି କରୁଛନ୍ତି କିନ୍ତୁ ଜଣାପଡ଼ିଲା ଯେ କିଛି ଲୋକ ପାଣିରେ ବୁଡି ଯାଉଛନ୍ତି ।

ଏହା ଜାଣିବା ପରେ ସେଠାରେ ଉପସ୍ଥିତ ଲୋକମାନେ ସାଙ୍ଗେ ସାଙ୍ଗେ ଉଦ୍ଧାର ପାଇଁ ଲାଗିଗଲେ ।  ସମସ୍ତଙ୍କୁ ଥିଲା ସମୁଦ୍ର ଲହଡିର ଭୟ । କିନ୍ତୁ ଏହାକୁ ଖାତିର ନକରି ସମୁଦ୍ର ଭିତରକୁ ଏକାଥରେ ପଶିଥିଲେ ୭୦ରୁ ୮୦ ଲୋକ। ସମସ୍ତେ ପାଣି ଭିତରେ ହାତ ଧରାଧରି ହୋଇ ଚେନ୍ କଡ଼ି ଭଳି ବାନ୍ଧି ହୋଇ ଠିଆ ହେଲେ । ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ଜୀବନ ଥିଲା ବିପଦରେ । ଏମାନଙ୍କ ଭିତରେ ୨ ଜଣ ଶିଶୁ ଓ ଜଣେ ୬୭ ବର୍ଷୀୟା ବୃଦ୍ଧା ବି ଥିଲେ । ପାଣିରେ ବୁଡ଼ି ଯାଉଥିବା ବେଳେ ବୃଦ୍ଧାଙ୍କର ହୃଦଘାତ ବି ହୋଇଥିଲା । ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଉଦ୍ଧାର କାର୍ଯ୍ୟ। ସମସ୍ତେ ହାତ ଧରାଧରି ହୋଇ ଏକ ଜାଲ ସଦୃଶ ବିପନ୍ନ ମାନଙ୍କୁ ପାଣିରୁ ଛାଣି ଆଣିଥିଲେ । ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୯ ଜଣ ଲୋକଙ୍କ ଜୀବନ ବଂଚି ଯାଇଥିଲା ।