ଡକାୟତି ପାଇଁ ପ୍ରେମିକାକୁ ଦେଇଥିଲେ ସ୍ତ୍ରୀଙ୍କ ପୁଲିସ୍‌ ୟୁନିଫର୍ମ

ଇନ୍ଦୋର: ପୁଲିସ୍ ଏଭଳି ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ଯିଏ କି ପୁଲିସ୍‌ ବେଶରେ ଲୁଟ୍‌ କରୁଥିଲେ। ମଧ୍ୟପ୍ରଦେଶର ଇନ୍ଦୋର ପୁଲିସ୍‌କୁ ଏହି ସଫଳତା ମିଳିଛି। ପୁଲିସ୍‌ କହିଛି ଡକାୟତି ମାମଲାରେ ସେମାନେ ୨ ଜଣଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ମହିଳା ଦୀର୍ଘ ଦିନ ଧରି ଏହି ଉପାୟରେ ଲୁଟ୍‌ କରି ଆସୁଥିଲେ।

ଆଉ ମଜା କଥା ହେଉଛି, ଡକାୟତି କରିବା ବେଳେ ଲୋକଙ୍କୁ ଭୂତେଇବା ପାଇଁ ମହିଳାଙ୍କ ପ୍ରେମିକ ନିଜ ପୁଲିସ ପତ୍ନୀଙ୍କ ୟୁନିଫର୍ମ ଆଣି ତାଙ୍କ ପ୍ରେମିକାଙ୍କୁ ଦେଇଥିଲେ। ପ୍ରେମିକ ପ୍ରବରଙ୍କ ସ୍ତ୍ରୀ ମଧ୍ୟପ୍ରଦେଶ ପୁଲିସ୍‌ରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପୁଲିସ୍ ଅଭିଯୁକ୍ତଙ୍କ ପକେଟ୍‌ରୁ ଏକ ନକଲି ଆଇ କାର୍ଡ ମଧ୍ୟ ଜବତ କରିଛି। ପୁଲିସ୍ ବର୍ତ୍ତମାନ ସୁଦ୍ଧା ଏହି ଅଭିଯୁକ୍ତଙ୍କ ପରିଚୟ ପ୍ରଘଟ କରିନାହିଁ। ତେବେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।