ଉତ୍ତର କୋରିଆ ଭୟଭୀତ କଲା ବିଶ୍ୱକୁ: ନାଗାସାକିରେ ପଡିଥିବା ବୋମାଠାରୁ ୫ ଗୁଣା ଅଧିକ ଶକ୍ତିଶାଳୀ ବୋମାକୁ କଲା ପରୀକ୍ଷା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୁଣି ହାଇଡ୍ରୋଜେନ ବୋମା ପରୀକ୍ଷା କରିଛି ଉତ୍ତର କୋରିଆ। ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ହୋଇଛି ଏହି ପରୀକ୍ଷା। ଗତବର୍ଷ ସେପଟେମ୍ବରର ହୋଇଥିବା ପରମାଣୁ ବୋମାଠାରୁ ଏହା ୯. ୮ ଗୁଣା ଶକ୍ତିଶାଳୀ ବୋଲି କୁହାଯାଉଛି। ୧୯୪୫ରେ ନାଗାସାକି ସହର ଉପରେ ପଡ଼ିଥିବା ପରମାଣୁ ବୋମାଠାରୁ ଏହା ୫ ଗୁଣା ଅଧିକ ଶକ୍ତିଶାଳୀ ବୋଲି ଉତ୍ତର କୋରିଆ କହିଛି। ଏହା ପରୀକ୍ଷା ହେଲା ପରେ କୃତ୍ରିମ ଭୂମିକମ୍ପର ଧାରଣା ସୃଷ୍ଟି କରିଥିଲା। ଏପରିକି ପଡ଼ୋଶୀ ଜାପାନରେ ବି ଏହାର ତୀବ୍ରତାକୁ ଅନୁଭବ କରାଯାଇଥିଲା। ଏହା କେବଳ ଶକ୍ତିଶାଳୀ ନଥିଲା ଏହା ସବୁଠୁ ଅଧିକ ସଫଳ ବୋଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି।  ଏହାପୂର୍ବରୁ ୨୦୦୬, ୨୦୦୯, ୨୦୧୩ ଓ ୨୦୧୬ରେ ଉତ୍ତର କୋରିଆ ପରମାଣୁ ବୋମା ପରୀକ୍ଷା କରିସାରିଛି। ଆମେରିକା ସମେତ ଅନ୍ତର୍ଜାତୀୟ ସମୁଦାୟର ଧମକ ସତ୍ୱେ ବି ଉତ୍ତର କୋରିଆ ଏଭଳି କାର୍ଯ୍ୟ ଜାରି ରଖିଛି ଯାହା ଅନ୍ୟ ରାଷ୍ଟ୍ରପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବୋମାର ସଫଳ ପରୀକ୍ଷା ପରେ ଉତ୍ତର କୋରିଆ ଖୁସି ଜାହିର କରିଛି। ହେଲେ ଉତ୍ତର କୋରିଆ ଲଗାତର ଭାବେ ଯେଉଁଭଳି ପରମାଣୁ ବୋମା ପରୀକ୍ଷଣ କରିଚାଲିଛି ଏହା ଏବେ ବିଶ୍ୱ ପାଇଁ ଏକ ବଡ ଆତଙ୍କ ସୃଷ୍ଟି କରିଛି।