ଭୁଲ ମାଗିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁଲ୍‌ ମାଗିଲେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍‌। ଲିଙ୍ଗରାଜ ମନ୍ଦିର ଭିତର ଫଟୋ ଟ୍ୱିଟ୍‌ ପୃଷ୍ଠାରେ ଗତକାଲି ପୋଷ୍ଟ କରିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହା ପରେ ସେ ଆଉ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ସେ ଲେଖିଥିଲେ-“କାହାରି ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚାହୁଁନି। ସେଥିପାଇଁ ସବୁ ଫଟୋ ପ୍ରତ୍ୟାହାର କରିନେଉଛି।”

କେନ୍ଦ୍ରମନ୍ତ୍ରୀ ଗୋଏଲ ଗତକାଲି ପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହର ଫଟୋ ଟ୍ୱିଟ୍‌ କରି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ସେ ଗର୍ଭଗୃହରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଏହାସହ ଲିଙ୍ଗରାଜ ମନ୍ଦିର ପରିସରର ଫଟୋ ମଧ୍ୟ ସେ ସେୟାର କରିଛନ୍ତି।

ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିପାଇଁ ରାଜ୍ୟ ବିଜେପି ମନ୍ଦିର ପ୍ରଶାସନ ଓ ପୂଜକଙ୍କ ଉପରେ ଦୋଷ ଲଦିଥିଲା। କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଥିଲେ।

ସୂଚନାରୁ ପ୍ରକାଶ, ଗତବର୍ଷ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଓଡ଼ିଶା ଗସ୍ତରେ ଆସିଥିଲେ। ସେହି ସମୟରେ ସେ ଲିଙ୍ଗରାଜ ମନ୍ଦିରରେ ପୂଜା କରିଥିଲେ।