ପ୍ରଧାନମନ୍ତ୍ରୀ ହେବାକୁ କେବେ ବି ଇଚ୍ଛା କରି ନ ଥିଲି: ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ‘ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛୁକ ନ ଥିଲି।’ ଗୁରୁବାର ଏହା କହିଛନ୍ତି ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ତାଙ୍କ ରଚିତ ଦ୍ୱିତୀୟ ପୁସ୍ତକ ‘ଦ ଟର୍ବୁଲେଣ୍ଟ ଇୟର: ୧୯୮୦-୯୬’କୁ  ଉପରାଷ୍ଟ୍ରପତି ହମୀଦ ଆନସାରୀ ଉନ୍ମୋଚନ କରିବା ଅବସରରେ ଶ୍ରୀ ମୁଖାର୍ଜୀ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, ସେହି ସମୟରେ ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ଉଠିଥିବା ଚର୍ଚ୍ଚା ନେଇ ସେ ରାଜୀବ ଗାନ୍ଧିଙ୍କ ସହ ତାଙ୍କ ଗାଧୁଆ ଘରେ ବସି ମଧ୍ୟ ଆଲୋଚନା କରିଥିଲେ। ଏହି ସବୁ ଘଟଣା ବହୁଳ ବିଷୟକୁ ନେଇ ରୂପା ପବ୍ଲିକେସନ ପକ୍ଷରୁ ଏହି ପୁସ୍ତକ ପ୍ରକାଶ ପାଇଛି। ସେ କହିଛନ୍ତି ଇନ୍ଦିରା ଗାନ୍ଧିଙ୍କ ଦେହାନ୍ତ ପରେ ମୋ ନାମ ମଧ୍ୟାନ୍ତର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଚର୍ଚ୍ଚା ହେବା ‘ଭୁଲ ଓ ଉଦ୍ଦେଶ୍ୟ’ ପ୍ରଣୋଦିତ ଥିଲା। ଏହାକୁ ନେଇ ବହୁ ଆର୍ଟିକଲ ପ୍ରକାଶ ପାଇଥିବା ବେଳେ ପ୍ରତିଟି ଆର୍ଟିକିଲରେ ‘ମୁଁ ମଧ୍ୟାନ୍ତର ପ୍ରଧାନମନ୍ତ୍ରୀ’ ଭାବେ ମୋ ନାଁକୁ ଚିତ୍ରିତ କରାଯାଇଥିଲା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ମୁଣ୍ଡରେ ପୂରାଇ ଦିଆଯାଇଥିଲା। ଏହା ସମ୍ପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ ଥିଲା ବୋଲି ସେ କହିଛନ୍ତି।

ଏହାକୁ ନେଇ ପ୍ରକୃତ ସମୟ ଆସିବା ପରେ ସେ ରାଜୀବ ଗାନ୍ଧି ଓ ତାଙ୍କ ପତ୍ନୀ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଥିଲେ। ସେହି ସମୟର ରାଜନୈତିକ ମହଲକୁ ଦେଖି ରାଜୀବଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ସେ ଅନ୍ୟ ଦଳୀୟ କର୍ମୀଙ୍କ ସହ ଆଲୋଚନା କରି ରାଜୀବଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ଘୋଷଣା କରାଯାଇଥିଲା।