ଆୟକର ବିଭାଗର ନୂଆ ଇ-ବ୍ୟବସ୍ଥା: ସହଜରେ ପାନ୍ ସହିତ ହେବ ଆଧାରର ଲିଙ୍କ୍

ନୂଆଦିଲ୍ଲୀ: ଆୟକର ବିଭାଗ ଆରମ୍ଭ କରିଛି ଏକ ନୂଆ ଇ-ବ୍ୟବସ୍ଥା। ଏଥିରେ ଜଣେ ବ୍ୟକ୍ତି ନିଜର ଆଧାର ନମ୍ବରକୁ ପର୍‌ମାନେଣ୍ଟ୍‌ ଏକାଉଣ୍ଟ ନମ୍ବର (ପାନ୍‌) ସହିତ ଲିଙ୍କ୍ କରି ପାରିବେ। ବର୍ତ୍ତମାନ ଆଇଟି ରିଟର୍ଣ୍ଣସ୍‌ ଦାଖଲ ପାଇଁ ପାନ୍ ସହିତ ଆଧାର ନମ୍ବର ଲିଙ୍କ୍ କରିବା ବାଧ୍ୟତାମୂଳକ ହୋଇଛି।

ଆଧାର ସହିତ ପାନ୍ ଲିଙ୍କ୍ ପାଇଁ ଆୟକର ବିଭାଗ ଏହାର ଇ-ଫିଲିଙ୍ଗ୍ ୱେବସାଇଟ୍‌-  https://incometaxindiaefiling.gov.in ର ହୋମ୍‌ପେଜ୍‌ରେ ଏକ ନୂଆ ଲିଙ୍କ୍ ତିଆରି କରିଛି। ଏହା ଦ୍ୱାରା ଜଣେ ବ୍ୟକ୍ତିର ଆଧାରକୁ ପାନ୍ ସହିତ ଲିଙ୍କ୍ କରିବା ବହୁତ ସହଜ ହେବ।

କେମିତି କରିବେ ଲିଙ୍କ୍‌?

ଆଧାର ସହିତ ପାନ୍‌ ଲିଙ୍କ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପାନ୍ ନମ୍ବର, ଆଧାର ନମ୍ବର ଓ ଆଧାର କାର୍ଡରେ ଥିବା ତାଙ୍କ ନାମକୁ ଉଲ୍ଲେଖ କରିବାକୁ ପଡ଼ିବ। ୟୁଆଇଡିଆଇଏ ଯାଞ୍ଚ କରିବା ପରେ ପାନ୍ ସହିତ ଆଧାରର ଲିଙ୍କ୍ ହେବ। କୌଣସି କାରଣରୁ ଯଦି ଆପଣ ଉଲ୍ଲେଖ କରିଥିବା ନାମ ସହିତ ଆଧାର କାର୍ଡରେ ଦର୍ଶାଯାଇଥିବା ନାମର ମେଳ ଖାଇବ ନାହିଁ, ତା’ହେଲେ ଆଧାର ଓଟିପି (ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ) ଆବଶ୍ୟକ ହେବ। ପଞ୍ଜୀକୃତ ମୋବାଇଲ୍ ନମ୍ବର ଓ ଇମେଲ୍‌ରେ ଓଟିପି ପଠାଇ ଦିଆଯିବ। ଏହା ଆପଣଙ୍କୁ ଆପଣଙ୍କ ପାନ୍‌ ଓ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଓ ଲିଙ୍ଗ ସଂପର୍କରେ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେବ। ଏହା ଉଭୟ କାର୍ଡରେ ସମାନ ଥିବା ଆବଶ୍ୟକ। ତା’ହେଲେ ଲିଙ୍କ୍ ସୁନିଶ୍ଚିତ ହୋଇପାରିବ।

ପାନ୍ ନମ୍ବର ସହିତ ଆଧାର ନମ୍ବର ଲିଙ୍କ୍ କରିବା ପାଇଁ ଇ-ଫିଲିଙ୍ଗ୍ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଯେ କେହି ବି ଏଥିରେ ପାନ୍ ନମ୍ବର ସହିତ ତାଙ୍କ ଆଧାର ନମ୍ବରକୁ ଲିଙ୍କ୍ କରି ପାରିବେ।

୨୦୧୭ ଫାଇନାନ୍ସ ଆକ୍ଟ ଅନୁଯାୟୀ କରଦାତାମାନେ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣସ୍‌ ଦାଖଲ କଲା ବେଳେ ଆବେଦନପତ୍ରରେ ଆଧାର ନମ୍ବର ଲେଖିବା ବାଧ୍ୟତାମୂଳକ କରିଛନ୍ତି ସରକାର। ୨୦୧୭ ଜୁଲାଇ ୧ ତାରିଖରୁ ପାନ୍ ପାଇଁ ଆବେଦନ କଲା ବେଳେ ଆଧାର ନମ୍ବର ବାଧ୍ୟତାମୂଳକ ହେବ। ଆୟକର ବିଭାଗ ଏଯାବତ ଏହାର ପାନ୍ ଡାଟାବେସ୍ ସହିତ ୧.୧୮ ଆଧାର ନମ୍ବରକୁ ଲିଙ୍କ୍ କରି ସାରିଛି।