ଆଇସିଜେରେ ଆଜି ଆସିବ କୁଳଭୂଷଣ ରାୟ

ନୂଆଦିଲ୍ଲୀ: ବୁଧବାର ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ରେ ବହୁ ଚର୍ଚ୍ଚିତ କୁଳଭୂଷଣ ଯାଦବ ମାମଲାର ରାୟ ଆସିବ। କୁଳଭୂଷଣଙ୍କୁ ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ପାକିସ୍ତାନ ଗିରଫ କରିବା ପରେ ସେଠାକାର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲା। ଭାରତ ସରକାର ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଏହି ଦଣ୍ଡାଦେଶ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲେ।

ଚଳିତ ମାସରେ ହିଁ ଆଇସିଜେ ପକ୍ଷରୁ କୁହାଯାଇଥିଲା, ଜୁଲାଇ ୧୭ ତାରିଖରେ ୩ଟା (ଭାରତୀୟ ସମୟ ୬.୩୦) ସମୟରେ ଦି ହେଗ୍‌ ଠାରେ ଏକ ଜନଶୁଣାଣି ହେବ। ବିଚାରପତି ଅହମ୍ମଦ ୟୁସୁଫ୍‌ ଏହି ରାୟ ଶୁଣାଇବେ। ସୂଚନାଯୋଗ୍ୟ, ଭାରତ ୨୦୧୭ ମସିହା ମେ ୮ ତାରିଖରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। କୁଳଭୂଷଣଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଭେଟିବାକୁ ଚାହୁଁଥିଲେ ହେଁ ପାକିସ୍ତାନ ବାରମ୍ବାର ମନା କରିବା ଭିଏନା ଚୁକ୍ତିର ଉଲ୍ଲଂଘନ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା।