ପୁଣି ବିଜେପିକୁ ଆଡ଼କୁ ଢଳିଲା ଶିବସେନା!

ମୁମ୍ବାଇ: ବିଜେପିକୁ ଛାଡ଼ି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦମ୍ଭ ଦେଖାଉଥିବା ଶିବସେନାର ତୋଡ଼ ଭାଙ୍ଗିଛି। ଏବେ ପୁଣିଥରେ ଶିବସେନା ଛାଡ଼ପତ୍ର ଦେଇଥିବା ବିଜେପି ସହ ମହାରାଷ୍ଟ୍ରରେ ମିଶି ସରକାର ଗଠନ କରିବାକୁ ମନ ବଳାଉଥିବା ଜଣାପଡ଼ିଛି। ଶିବସେନା ୫୬ଟି ଆସନ ଜିତିବା ପରେ ବିଜେପି ସହ ୫୦:୫୦ ଫର୍ମୁଲାରେ ସରକାର ଗଠନ କରିବା ଦିଗରେ ଆଗକୁ ବଢ଼ିବାକୁ କହିଥିଲା।

ହେଲେ ବିଜେପି ଏଥିରେ ରାଜି ହୋଇ ନଥିଲା। ଫଳରେ କ୍ଷମତା ଲୋଭରେ ଅନ୍ଧ ହୋଇ ଶିବସେନା ଦୁଇ ବିରୋଧୀ ଏନ୍‌ସିପି ଓ କଂଗ୍ରେସ ସହ ହାତ ମିଳାଇ ସରକାର ଗଠନ କରିବାକୁ ଉଦ୍ୟମ କରିଥିଲା। ଏପରି କି ବିଜେପିକୁ ଖୋଲାଖୋଲି ଭାବେ ବିରୋଧ ମଧ୍ୟ କରିଥିଲା। ହେଲେ ବିଜେପିର ଚାଲ ଆଗରେ ଶିବସେନାର ସବୁ ଗୋଟି ଚାଳନା ଫେଲ ମାରିଥିବା କୁହାଯାଉଛି।

ଶିବସେନା ସରକାର ଗଠନ ପାଇଁ ଗୋଡ଼ ଟେକି ବସିଥିଲେ ହେଁ ଏନ୍‌ସିପି-କଂଗ୍ରେସ ଏଯାଏ ଏଥିପାଇଁ ଗ୍ରୀନ ସିଗନାଲ ଦେଉନାହାନ୍ତି। ତଥାପି ଶିବସେନା ସରକାର ଗଠନ ପାଇଁ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ବିଜେପି ଏବେ ଏନ୍‌ସିପି ଉପରେ ଥୋପ ପକାଇବା ଆରମ୍ଭ କରିଥିବାରୁ ଶିବସେନା ବିଚଳିତ ହୋଇ ପଡ଼ିଛି। ତେଣୁ ଦଳ ପୁଣିଥରେ ବିଜେପି ଆଡ଼କୁ ଢଳିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଶିବସେନା ପୁଣିଥରେ ୫୦: ୫୦ ଫର୍ମୁଲା କଥା ଉଠାଇଛି। ଅର୍ଥାତ ବିଜେପି ଯଦି ବୁଝାମଣା କରି ୫୦: ୫୦ ଫର୍ମୁଲାରେ ରାଜି ହେବ। ତା’ହେଲେ ଶିବସେନା-ବିଜେପି ସହ ମିଶି ସରକାର ଗଠନ କରିବାକୁ କେବେ ବି କୁଣ୍ଠାବୋଧ କରିବ ନାହିଁ ବୋଲି କହିଛି। ଶିବସେନା ପୁଣିଥରେ ବିଜେପି ସହ ମିଶିବାକୁ ଚାହୁଁଥିଲେ ହେଁ ବିଜେପି କିନ୍ତୁ ଏନ୍‌ସିପିକୁ ନିଜ ପାଖକୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଛି। ଏପରି କି ବିଜେପି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ କରିବାକୁ ମଧ୍ୟ ପ୍ରସ୍ତାବ ଦେଉଥିବା ତଥ୍ୟ ସାମ୍ନାକୁ ଆସିଛି।