ଆଇଏମ୍‌ଏ ଚିଟ୍‌ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏମଏ ଚିଟ୍‌ଫଣ୍ଡ ଘୋଟାଲାର ମାଷ୍ଟରମାଇଣ୍ଡ ମହମ୍ମଦ ମନସୁର ଖାନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଗୁରବାର ରାତି ୧.୫୦ରେ ଦୁବାଇରୁ ବିତାଡ଼ିତ ହୋଇ ମନସୁର ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ।

ସେଠାରୁ ଇଡି ତାଙ୍କୁ ଗିରଫ କରିଛି। ଇଡି ଏହାପୂର୍ବରୁ ମନସୁରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ ଜାରି କରିଥିଲା। ସେ ଭାରତ ଫେରି ଆଇଏମଏ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରିବାକୁ ଏଥିରେ କୁହାଯାଇଥିଲା।

ସୋମବାର ମନସୁର ଏକ ଭିଡିଓ ଜାରି କରିବା ସହ ୨୪ ଘଣ୍ଟା ମଧ୍ୟରେ ସେ ଭାରତ ଫେରିବେ ବୋଲି କହିଥିଲେ। ଏଥିସହ ଭାରତ ଛାଡ଼ିବା ତାଙ୍କର ଏକ ବଡ଼ ଭୁଲ ବୋଲି ସେ ମଧ୍ୟ ସ୍ୱୀକାର କରିଥିଲେ।

ଅଳ୍ପ ପୁଞ୍ଜି ନିବେଶ କରି ଅଧିକ ଅର୍ଥ ରୋଜଗାରର ଲୋଭ ଦେଖାଇ ମନସୁର ହଜାର ହଜାର ଲୋକଙ୍କୁ ଆଇଏମଏ ଚିଟଫଣ୍ଡରେ ସାମିଲ କରିଥିଲେ। ଏବେ ଇଡି ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।