ଫେଲ ମାରିଲା କଂଗ୍ରେସ ରଣନୀତି : ସୁପ୍ରିମକୋର୍ଟରେ ମହାଭିଯୋଗ ମାମଲା ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଖାରଜ ହେବାପରେ ପୁଣିଥରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା କଂଗ୍ରେସ।  ତେବେ ଏହି ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ୨ କଂଗ୍ରେସ ସାଂସଦ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନକୁ  ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  ଏହି ମାମଲରେ ପ୍ରତିପକ୍ଷ ଓକିଲ ତଥା କଂଗ୍ରେସର ବରିଷ୍ଟ ଓକିଲ କହିଛନ୍ତି ଯେ, ମାମଲାକୁ ପ୍ରତ୍ୟାହାର କରିନିଆଯିବ।

ସୂଚନା ଯୋଗ୍ୟ ଯେ, ରାଜ୍ୟସଭାର ଦୁଇ କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା ଏବଂ ଅମି ହର୍ସଦରାୟ ୟାଗନିକ ଏନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ମହାଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଯେଉଁ ଆଧାରରେ ଖାରଜ କରିଛନ୍ତି ତାହା ଅଗଣତାନ୍ତ୍ରିକ ବୋଲି ପିଟିସନରେ ଦର୍ଶାଇଥିଲେ ଦୁଇ ସାଂସଦ। ଏହି ମାମଲାରେ ଆଜି ସୁପ୍ରିମର୍କ୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ।  ଗତ ମାସରେ ୬୦ରୁ ଅଧିକ ସାଂସଦଙ୍କ ଦସ୍ତଖତ ଥାଇ କଂଗ୍ରେସ ସମେତ ବିଭିନ୍ନ ଦଳ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଆଣିଥିଲେ। କିନ୍ତୁ ଉପରାଷ୍ଟ୍ରପତି ଅଭିଯୋଗର ଯଥାର୍ଥ କାରଣ  ନ ଥିବା ଦର୍ଶାଇ ନୋଟିସକୁ ଖାରଜ କରି ଦେଇଥିଲେ ।