ଟ୍ରମ୍ପଙ୍କ ମଧ୍ୟସ୍ଥତା ବୟାନରେ ଇମ୍ରାନ ଉତ୍ସାହିତ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ଓ ତାଙ୍କଠାରୁ କଶ୍ମୀର ସମସ୍ୟାରେ ମଧ୍ୟସ୍ଥତା ସମ୍ପର୍କିତ ବୟାନ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉତ୍ସାହିତ ହୋଇ ଉଠିଛନ୍ତି। ଭାରତ କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହୁଁଥିବା ବେଳେ ଆଜି ଇମ୍ରାନ୍‌ ବିପରୀତ ଢଙ୍ଗରେ ବୟାନ ଦେଇଛନ୍ତି।

ଟ୍ରମ୍ପଙ୍କୁ ସାକ୍ଷାତ କରିବା ପରେ ଇମ୍ରାନ୍‌ କହିଛନ୍ତି, “କଶ୍ମୀର ସମସ୍ୟା ଦୀର୍ଘ ୭୦ ବର୍ଷ ହେଲା ଚାଲି ଆସିଛି। ତେଣୁ ଏହା ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କେବେ ହେଲେ ସମ୍ଭବ ହୋଇପାରିବ ନାହିଁ। ସେ କହିଛନ୍ତି, “ପାକିସ୍ତାନର ରାଷ୍ଟ୍ରପତି ଥିବା ଜେନେରାଲ ପରଭେଜ ମୁଶାରଫ ଓ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କଶ୍ମୀର ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ। କିନ୍ତୁ ସେବେଠାରୁ ଏହି ଆଲୋଚନା ଆଗେଇ ପାରି ନଥିଲା।

“ଏବେ ଭାରତ ଆଲୋଚନା ପାଇଁ ଆଗେଇ ଆସିବା ଦରକାର। ଆମେରିକା ଏଥିରେ ବଡ଼ ଭୂମିକା ଗ୍ରହଣ କରିପାରିବ। ବିଶେଷ କରି ରାଷ୍ଟ୍ରପତି ଟ୍ରମ୍ପ ଏଥିରେ ସହଯୋଗ କରିବେ। ଆମେ ବିଶ୍ୱର ୧.୩ ବିଲିୟନ ଲୋକଙ୍କ କଥା କହୁଛେ। ହେଲେ କଶ୍ମୀର ଲୋକେ ଭୋଗୁଥିବା ସମସ୍ୟା କଥାକୁ ଅଣଦେଖା କରୁଛେ। ଏବେ ଏହାର ସମାଧାନ ହେବା ଦରକାର। କିନ୍ତୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ଏହା ସମାଧାନ ହେବ ବୋଲି ଆଶା ନାହିଁ। ଏଥିରେ ତୃତୀୟ ପକ୍ଷ ସାମିଲ ହେବା ଦରକାର।”