କୌଣସି ଦଳକୁ ମିଳିଲାନି ସ୍ପଷ୍ଟ ବହୁମତ, ସହଜ ନୁହେଁ ଇମ୍ରାନ୍‌ଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ !

ଇସ୍‌ଲାମାବାଦ: ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି। ବୁଧବାରଠାରୁ ୨୭୨ଟି ଆସନ ପାଇଁ ମତଦାନ ଶେଷ ହୋଇଥିଲେ ହେଁ ଏବେ ପର୍ଯ୍ୟନ୍ତ ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇନାହିଁ। ବର୍ତ୍ତମାନ ସୁଦ୍ଧା ୨୬୮ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଏଥିରେ କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ଙ୍କ ‘ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌’ (ପିଟିଆଇ) ସର୍ବବୃହତ ଦଳର ମାନ୍ୟତା ପାଇଛି। ଦଳର ୨୭୨ଟି ରୁ ୧୧୭ଟି ଆସନରେ ବିଜୟୀ ହୋଇଛି। ତଥାପି ସରକାର ଗଠନ ପାଇଁ ଆବଶ୍ୟକ ୧୩୭ ମ୍ୟାଜିକ୍‌ ନମ୍ବରଠାରୁ ଦଳ ୨୦ଟି ଆସନ ପଛରେ ରହିଛି। ପିଟିଆଇ ଅନ୍ୟ ସ୍ୱାଧୀନ ଓ କ୍ଷୁଦ୍ର ଦଳଙ୍କ ସହ ମିଶି ସରକାର ଗଠନ କରିବ ବୋଲି ଅଙ୍କକଷା ଆରମ୍ଭ କରିଦେଇଛି। ଅନ୍ୟପକ୍ଷରେ ଇମ୍ରାନ୍‌ ନିଜକୁ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରି ସାରିଛନ୍ତି।


କିନ୍ତୁ ଯାହା ଜଣାପଡୁଛି, ବର୍ତ୍ତମାନର ରାଜନୈତିକ ସ୍ଥିତିରେ, ପ୍ରଧାନମନ୍ତ୍ରୀ ହେବା ଇମ୍ରାନ୍‌ଙ୍କ ପାଇଁ ଏତେଟା ସହଜ ହେବନି। ରାଜନୀତିକ ବିଶେଷଜ୍ଞଙ୍କ ମତରେ, ଇମ୍ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ହେବାପାଇଁ ଅତି କମ୍‌ରେ ୨୦ ଦିନ ସମୟ ଲାଗିବ। ଏହି ସମୟରେ ତାଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ। ପାକିସ୍ତାନ ସଂସଦର ସଦସ୍ୟ ସଂଖ୍ୟା ୩୭୨ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ନିଜ ସପକ୍ଷରେ ୧୭୨ଟି ଭୋଟ୍‌ ଆଣିବାକୁ ପଡ଼ିବ। ବର୍ତ୍ତମାନ ସ୍ଥିତିରେ ଇମ୍ରାନ୍‌ଙ୍କ ଦଳ ସପକ୍ଷରେ ୧୬୩ ଜଣ ସଦସ୍ୟ ରହିଥିବା ଜଣାପଡ଼ିଛି। ଏହି ୧୬୩ ଜଣ ସଦସ୍ୟଙ୍କ ମଧ୍ୟରେ ସିଧାସଳଖ ନିର୍ବାଚିତ ହୋଇଥିବା ପିଟିଆଇର ୧୧୭ ଜଣ ସାଂସଦ, ମହିଳା ସଂରକ୍ଷଣ ଆସନରୁ ୨୭ ଜଣ, ପିଟିଆଇର ସହଯୋଗୀ ଦଳ ଏମ୍‌ଏମ୍‌ଏର ୧୫ ଜଣ ସାଂସଦ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ୪ ଜଣ ସାଂସଦ ଇମ୍ରାନ୍‌ଙ୍କ ସମର୍ଥନରେ ଅଛନ୍ତି। ଏହା ବ୍ୟତୀତ ଇମ୍ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ହେଲେ ଆହୁରି ୯ ଜଣ ସାଂସଦଙ୍କ ସହଯୋଗ ଦରକାର। ୨୦ ଦିନ ମଧ୍ୟରେ ଯଦି ଇମ୍ରାନ୍‌ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ପାରିବେ ନାହିଁ, ତା’ହେଲେ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଦିଆ ଯିବ। ଏପରି ସ୍ଥିତିରେ ଦଳ ଅନ୍ୟଜଣେ ନେତାଙ୍କ ନାଁ ପ୍ରଧାନମନ୍ତ୍ରୀ ହେବାକୁ ସୁପାରିସ୍‌ କରିବ। ଇମ୍ରାନ୍‌ କହିଛନ୍ତି, ଏମ୍‌ଏମ୍‌ଏ ୧୩ଟି ଆସନ ଜିତିଥିବା ବେଳେ ମହିଳା ସଂରକ୍ଷଣ ଆସନରୁ ୨ ଜଣ ସଦସ୍ୟ ରହିଛନ୍ତି। ଏମାନେ ପିଟିଆଇକୁ ସମର୍ଥନ କରିବେ।


କିନ୍ତୁ ଶୁକ୍ରବାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଇସ୍‌ଲାମାବାଦରେ ହୋଇଥିବା ବୈଠକରେ ଏମଏମଏର ଅଧ୍ୟକ୍ଷ ଫଜଲୁର୍‌ ରେହେମାନ୍‌ ଉପସ୍ଥିତ ଥିଲେ। ସେ ବିରୋଧୀଙ୍କ ଭଳି ଚଳିତ ସାଧାରଣ ନିର୍ବାଚନର ଫଳାଫଳକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଏପରିକି ସେ ଉପନିର୍ବାଚନ କରିବାକୁ ଦାବି କରିଛନ୍ତି। ଏପରି ସ୍ଥିତିରେ ଏମ୍‌ଏମ୍‌ଏ ଇମ୍ରାନ୍‌ଙ୍କୁ କେମିତି ସମର୍ଥନ କରିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ନିର୍ବାଚନ ପରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବାକୁ ୧୫ରୁ ୨୦ ଦିନ ସମୟ ଲାଗେ। ଯାହା ସୂଚନା ରହିଛି, ଅଗଷ୍ଟ ୧୫ରୁ ପାକିସ୍ତାନ ସଂସଦ କାର୍ଯ୍ୟକ୍ଷମ ହେବ। ଏହା ବ୍ୟତୀତ ପାକିସ୍ତାନ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ସଂସଦକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ୧୦ ଦିନ ମଧ୍ୟରେ ସେମାନଙ୍କ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବେ। ନହେଲେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଏହାପରେ ନିର୍ବାଚନ କମିଶନ ବିଜେତାମାନଙ୍କ ନାଁକୁ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିବେ। ସେହିପରି ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ସଂସଦକୁ ଯିବା ପୂର୍ବରୁ ଏକ ରାଜନୀତିକ ଦଳ ଚୟନ କରିବେ। ଯଦି ସେମାନେ କୌଣସି ରାଜନୀତିକ ଦଳ ଚୟନ ନ କରନ୍ତି, ତା’ହେଲେ ସେମାନେ ସଂସଦର ବୈଠକରେ ଯୋଗଦେଇ ପାରିବେ ନାହିଁ। ସେମାନଙ୍କୁ ରାଜନୀତିକ ଦଳରେ ଯୋଗଦେବାକୁ ୩ ଦିନ ସମୟ ମିଳିଥାଏ।