କ୍ରିକେଟ୍‌ କ୍ୟାପ୍‌ଟେନ୍‌ରୁ ବନିଯାଇ ପାରନ୍ତି ଦେଶର କ୍ୟାପଟେନ୍: ପାକିସ୍ତାନର ନୂଆ ସରକାର ଉପରେ ଭାରତର ନଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ କ୍ୟାପଟେନ୍‌ରୁ ଦେଶର କ୍ୟାପଟେନ୍‌ ହୋଇପାରନ୍ତି ଇମ୍ରାନ୍ ଖାନ୍‌। ୧୯୯୨ରେ ପାକିସ୍ତାନକୁ କ୍ରିକେଟ୍‌ରେ ବିଶ୍ୱବିଜୟୀ କରାଇଥିବା ଇମ୍ରାନ୍ ଖାନ୍‌, ୨୪ ବର୍ଷ ପରେ ନିର୍ବାଚନୀ ମୈଦାନରେ ମଧ୍ୟ ସମସ୍ତଙ୍କୁ ଅଲ୍ ଆଉଟ୍ କରି ଏବେ ହାତେଇବାକୁ ଯାଉଛନ୍ତି କ୍ଷମତା। ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ଦଳ ‘ପାକିସ୍ତାନ ତହରିଖ୍ ଏ ଇନ୍‌ସାଫ୍‌’ ସବୁଠୁ ଆଗରେ ରହିଛି। ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ ମଧ୍ୟ ମ୍ୟାଜିକ୍‌ ନମ୍ବରଠାରୁ ଅଧିକ ଦୂରରେ ନାହିଁ ଦଳ। ପାକିସ୍ତାନ ସଂସଦର ୨୭୨ଟି ଆସନରୁ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୧୩୭ଟି ଆସନ। ଏଭଳି ସ୍ଥିତିରେ ସ୍ୱାଧୀନ ଏବଂ ଅନ୍ୟ ଛୋଟ ଦଳ ଉପରେ ନିର୍ଭର କରିବାକୁ ପଡ଼ିବ ଇମ୍ରାନ୍‌ଙ୍କୁ। ତଥାପି ‘ତେହରିକ୍-ଏ-ଇନ୍‌ସାଫ୍’ ସବୁଠାରୁ ଅଧିକ ସିଟ୍ ପାଇଥିବାରୁ, ସରକାର ଗଠନ ହେଲେ ଇମ୍ରାନ୍‌ ଖାନ୍ ହିଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ଦଳ ‘ପାକିସ୍ତାନ ମୁସଲିମ୍ ଲିଗ୍’ ୬୩ଟି ଏବଂ ‘ପାକିସ୍ତାନ ପିପୁଲ୍‌ସ ପାର୍ଟି’ ମାତ୍ର ୩୮ଟି ଆସନ ହିଁ ହାତେଇ ପାରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ଏହି ଦୁଇ ପ୍ରମୁଖ ବିରୋଧୀ ଦଳ। ନିର୍ବାଚନରେ ପ୍ରବଳ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଯେଉଁଥିରେ ସାମରିକ ହସ୍ତକ୍ଷେପ ଅଭିଯୋଗ ସହ ମତଦାନ ହାର ବହୁତ କମ୍ ଥିବାରୁ ଏହାର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ସୃଷ୍ଟି ହୋଇଛି।

ତେବେ ଏହି ନିର୍ବାଚନରେ ଆତଙ୍କବାଦୀ ଓ ମୌଳବାଦୀ ସଙ୍ଗଠନ ଗୁଡ଼ିକୁ ପାକିସ୍ତାନ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ମୁମ୍ବାଇ ଆକ୍ରମଣର ମାଷ୍ଟ୍ରମାଇଣ୍ଡ ହାଫିଜ୍‌ ସୟିଦ୍‌ର ସଙ୍ଗଠନରୁ ୫୦ରୁ ଅଧିକ ଆସନରେ ନିର୍ବାଚନ ଲଢୁଥିବା ନେତାମାନେ ଖାତା ଖୋଲିପାରି ନାହାନ୍ତି। ସେହିଭଳି ଅନ୍ୟତମ ମୌଳବାଦୀ ସଙ୍ଗଠନ ତେହେରିକ୍ ଲାବିକ୍ ମଧ୍ୟ ୧୫୨ଟି ଆସନରୁ ଲଢ଼ି ଗୋଟିଏରେ ବି ବିଜୟ ହାସଲ କରିପାରିନାହିଁ। ତେବେ ଫଳାଫଳ ଯାହା ହେଉନା କାହିଁକି, ପାକିସ୍ତାନରେ କିଏ ଗଢ଼ିବ ଆଗାମୀ ସରକାର ତା ଉପରେ ତୀକ୍ଷ୍‌ଣ ନଜର ରଖିଛି ଭାରତ।

ସେପଟେ ଇମ୍ରାନ୍‌ ଯଦି  ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଭାରତ ପ୍ରତି ଶୁଭ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। କାରଣ ଇମ୍ରାନ୍ ପୂର୍ବରୁ ଭାରତ ଓ ଭାରତୀୟ ସେନା ବିରୋଧରେ ବିଷ ଓଗାଳିବାର ନଜିର୍‌ ରହିଛି। ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଇମ୍ରାନ୍‌ ନିଜର ନରମ ମନୋଭାବ ପୋଷଣ କରୁଥିବା ଦେଖାଦେଇଛି। ଏହାଛଡ଼ା ଇମ୍ରାନଙ୍କ ପଛରେ ରହିଛି ପାକିସ୍ତାନ ସେନାର ସିଧା ସମର୍ଥନ। ଏଭଳି ସ୍ଥିତିରେ ପାକିସ୍ତାନ ଯେଉଁ ନୀତି ନିର୍ଦ୍ଧାରଣ କରିବ, ତାହା ଭାରତ ଓ କାଶ୍ମୀର ବିରୋଧୀ ହେବାର ଆଶଙ୍କା ରହିଛି।